ନୂଆଦିଲ୍ଲୀ, 5/1: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ଗତକାଲି ରାତିରେ ବଡଧରଣର ହିଂସା ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣକାରୀମାନେ ଛାତ୍ରଙ୍କ ସମେତ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଅତି କମରେ ୩୦ ଜଣ ଛାତ୍ର ଆହତ ହୋଇଥିବା ସୂଚନା ରହିଛି। ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ପରେ ଜେଏନୟୁ, ଏମ୍ସ, ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ରାତିସାରା ପ୍ରଦର୍ଶନ ହୋଇଛି। ମୁମ୍ବାଇ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଲୋକେ ଜେଏନୟୁର ହିଂସାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଲିକତାର ଯାଦବପୁର ବିଶ୍ବବିଦ୍ୟାଳୟ, ପୁଣେର ଏଫ୍ଆଇଟିଟି ବିଶ୍ବବିଦ୍ୟାଳୟ ଓ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ମଧ୍ୟ ଏହି ପ୍ରତିବାଦକୁ ନେଇ ପ୍ରଦର୍ଶନ ଜାରି ରହିଛି।
ଆହତ ଛାତ୍ର ଓ ଶିକ୍ଷକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଜେଏନୟୁ ଛାତ୍ରମାନେ କହିଛନ୍ତି ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୨୦୦ ହେବ। ସେମାନେ ବାହାରୁ ଆସିଥିଲେ। ଏହାରି ମଧ୍ୟରେ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ଏହି ତଦନ୍ତ ଆଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଶାଳିନୀ ସିଂହ ଏହି ତଦନ୍ତ କରିବେ। ଅନ୍ୟପଟରେ ବିଳମ୍ବିତ ରାତି ଜେଏନୟୁର ଛାତ୍ରମାନେ ଦିଲ୍ଲୀ ପୋଲିସ ସହିତ ବୈଠକ କରି ଦାବି କରିଛନ୍ତି ଯେ, ଆହତଙ୍କ ପାଇଁ ଚିକିତ୍ସା ସହାୟତା ଦିଆଯାଉ ଏବଂ ଯେଉଁମାନେ ହିଂସାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରାଯାଉ। ଅପରପକ୍ଷରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରିଛି। (ଏଜେନ୍ସି)