ଜେ.ଏନ୍.ୟୁ. ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ବର ରିସର୍ଚ୍ଚ ସ୍କଲାରଙ୍କ ବିକ୍ଷୋଭ

Published: Jan 7, 2020, 8:35 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜେ.ଏନ୍.ୟୁ.ରେ ଛାତ୍ର ଓ ଅଧ୍ୟାପକମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରି ଭୁବନେଶ୍ୱରରେ ବିଭିନ୍ନ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଆଇ.ଏମ୍.ଏମ୍.ଟି ରେ ଶାନ୍ତିିପୂର୍ଣ୍ଣ ଶୋଭଯାତ୍ରା କରାଯାଇଛି । ଗତ କିଛିଦିନ ହେବ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଜେ.ଏନ୍.ୟୁ, ଯାଦବପୁର ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍ଲାମିଆ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଓ ଅତ୍ୟାଚାର ବଢି ଚାଲିଛି । ବହୁ ହିଂସାକାରୀ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନିଷ୍ଠୁରଭାବେ ଆକ୍ରମଣ କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଗବେଷଣାରତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ପରିସ୍ଥିତିତରେ ଜେ.ଏନ୍.ୟୁରେ ଯେଉଁମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମାନେ ଦାବୀ କରିଛନ୍ତି। ଏଥିସହ କ୍ୟାମ୍ପସରେ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ରିସର୍ଚ୍ଚ ସ୍କଲାରମାନେ ଦାବି କରିଛନ୍ତି । ଆଇଓପି ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦରେ ରିସର୍ଚ୍ଚ ସ୍କଲାର ଗଣେଶ ପାଲ୍, ଅତନୁ ମାଇତି, ଅମରେନ୍ଦ୍ର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Related posts