କ୍ୟାପିଟାଲ ଥାନା ଠୁ ଶହେ ମିଟର ଦୂର ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଗୁଣ୍ଡାଙ୍କ ଆତଙ୍କରାଜ

Published: Jan 10, 2020, 9:11 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟା ସମୟରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ଥିବା ମାର୍କେଟ ବିଲ୍ଡିଂ କଡ଼ରେ ଉଠାଦୋକାନୀମାନଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବଳ ମାଡ ମାରିବା ସହିତ ଶହେରୁ ଅଧିକ ଦୋକାନ ଭାଙ୍ଗି ଦେଇଛନ୍ତି। କ୍ୟାପିଟାଲ ଥାନା ଠାରୁ ମାତ୍ର ଶହେ ମିଟର ଆଗରେ ଥିବା ଏହି ଜନଗହଳି ପୂର୍ଣ୍ଣ ବଜାରରେ ଏ ପ୍ରକାର ଖୋଲା ଆତଙ୍କରାଜ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ସନ୍ଧ୍ୟା ସମୟରେ ପ୍ରାୟ ୨୫ ଜଣ ଗୁଣ୍ଡାଶ୍ରେଣୀର ଯୁବକ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଉଠାଦୋକାନୀ ଓ ସାଧାରଣ ଲୋକଙ୍କୁ ଅନ୍ଧାଧୂନ ବାଡେଇ ଫେରାର ହୋଇ ଯାଇଥିଲେ।

ସନ୍ଧ୍ୟା ର ଏହି ସମୟରେ ମାର୍କେଟ ବିଲ୍ଡିଂ ରେ ପ୍ରବଳ ଜନଗହଳି ଲାଗି ଥାଏ। ଏମିତି ଏକ ସମୟରେ ଏ ପ୍ରକାର ଆକ୍ରମଣ ପୋଲିସ ର ଅପାରଗତା ଯୋଗୁଁ ହିଁ ଘଟୁଛି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ରେ ଅନେକ ଦୋକାନୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଗତକାଲି ରାତିରେ ସ୍ଥାନୀୟ କିଛି ଲୋକଙ୍କ ସହିତ ଦୋକାନୀମାନଙ୍କର ଝଗଡା ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ହୋଇଥାଇ ପାରେ ବୋଲି କୁହାଯାଉଛି।

ଆକ୍ରମଣକାରୀଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା କହୁଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

Related posts