ହଟିଲା ବନ୍ଦ: ସୋମବାର ସକାଳେ ଖୋଲିବ ସାଇବାବା ମନ୍ଦିର, ଟ୍ରଷ୍ଟିମାନେ ମୁଖ୍ୟମନ୍ତ୍ରୀ ଠାକେରଙ୍କ ସହ କରିବେ ଆଲୋଚନା

Published: Jan 19, 2020, 11:37 pm IST

ମୁମ୍ବାଇ- ଆଜି ବିଳମ୍ବିତ ରାତିରେ ସିରିଡି ସାଇବାବା ପିଠରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ମନ୍ଦିର ଟ୍ରଷ୍ଟିମାନଙ୍କର ସୋମବାର ସକାଳୁ ଆଲୋଚନା ଥିବାରୁ ଏହି ନିଷ୍ପତି ନିଆଯାଇଛି। ଫଳରେ ସୋମବାର ସକାଳୁ ଭକ୍ତମାନେ ସାଇବାବାଙ୍କ ଦର୍ଶନ ଲାଭ କରି ପାରିବେ। ସେଥିପାଇଁ ମନ୍ଦିର ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଇବାବାଙ୍କ ଜନ୍ମକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବାଦୀୟ ବିବୃତି ଦେବାରୁ ତାହାର ପ୍ରତିବାଦରେ ସିରିଡି ବନ୍ଦ ଡାକରା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବିବୃତିରେ କହିଥିଲେ ଯେ, ସିରିଡିଠାରେ ପ୍ରକୃତରେ ସାଇବାବା ଜନ୍ମ ଗ୍ରହଣ କରି ନାହାଁନ୍ତି। ହେଲେ ସେଠାରେ ପୂଜା କରିବାରେ କିଛି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ ମଧ୍ୟ କରିଥିଲେ। ହେଲେ ଏହାକୁ ନେଇ ସାଇବାବା ଟ୍ରଷ୍ଟ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ସ୍ଥାନୀୟ ଦୋକାନ ବଜାର ବନ୍ଦ କରାଯିବା ସହିତ ସାଇବାବା ମନ୍ଦିର ଦର୍ଶନ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ବର୍ତ୍ତମାନ ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ନିଷ୍ପତି ହୋଇଛି। ଏହି ଆଲୋଚନା ସୋମବାରେ ରଖାଯାଇଥିବାରୁ ଟ୍ରଷ୍ଟ ବୋର୍ଡ ତା ପୂର୍ବରୁ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି।

Related posts