ରଣଜୀ ଟ୍ରଫି : ସିଜିନ୍‌ର ପ୍ରଥମ ପରାଜୟ ସହ ପଏଣ୍ଟ ଟେବୁଲ୍‌ର ଦ୍ବିତୀୟ ସ୍ଥାନକୁ ଖସିଲା ଓଡିଶା

Published: Jan 21, 2020, 4:27 pm IST

ସମୀକ୍ଷା ବ୍ୟୁରୋ
କଟକ : କଟକର ଡ୍ରିମ୍‌ସରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଚଳିତ ସିଜିନ୍‌ର ପ୍ରଥମ ପରାଜୟ ବରଣ କରିଛି ଓଡିଶା । ଷଷ୍ଠ ମ୍ୟାଚ୍‌ ଖେଳୁଥିବା ଓଡିଶାକୁ 4 ଓ୍ବିକେଟ୍‌ରେ ପରାସ୍ତ କରିଛି ପରଭେଜ୍‌ ରସୁଲଙ୍କ ଜମ୍ମୁ କାଶ୍ମୀର । ଜମ୍ମୁ କାଶ୍ମୀର ସମ୍ମୁଖରେ 204 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ 6 ଓ୍ବିକେଟ ହରାଇ ବିଜୟ ହାସ କରି ନେଇଥିଲା । ଜମ୍ମୁ କାଶ୍ମୀର ପକ୍ଷରୁ ଓପ୍ନର ସୂର୍ଯ୍ୟାଂଶ ରାଇନା(69) ଏବଂ ଶୁଭମ ପୁନ୍ଦିର(45) ତୃତୀୟ ଓ୍ବିକେଟ୍‌ରେ 77 ରନ୍‌ ଯୋଡି ଦଳର ବିଜୟ ପକ୍କା କରିଥିଲେ । 116 ରନ୍‌ରେ ତୃତୀୟ ଓ୍ବିକେଟର ପତନ ପରେ ଦଳ ଲଗାତାର 4 ଓ୍ବିକେଟ ହରାଇ 163/6ରେ ପହଞ୍ଚିଥିଲା । ଏହି ସମୟରେ ଉଭୟ ଦଳ ନିକଟରେ ସମାନ ସୁଯୋଗ ରହିଥିଲା । ମାତ୍ର ଅବଦୁଲ ସମାଦ(30, 26 ବଲ୍‌) ଏବଂ ଆକ୍ବିବ୍‌ ନବି(26, 25 ବଲ୍‌) ଆକ୍ରମଣ କରି ଓଡିଶା ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଆକ୍ବିବ୍‌ ନବିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Related posts