Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : 73 ବର୍ଷରେ ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ୍‌

ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍‌ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି । 73 ବର୍ଷ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ଚାମ୍ପିୟନ୍‌ ହୋଇଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ 425 ରନ୍‌ କରିଥିବା ବେଳେ ବେଙ୍ଗଲ ପ୍ରଥମ ଇନିଂସରେ 381 ରନ୍‌ରେ ଅଲ୍‌ଆଉଟ୍‌ ହେବା ସହିତ 44 ରନ୍‌ରେ ପଛୁଆ ରହିଥିଲା । ସୌରାଷ୍ଟ୍ର ଦ୍ବିତୀୟ ଇନିଂସରେ 105 ରନ୍‌ରେ 4ଟି ଓ୍ବିକେଟ୍‌ କରିଥିବା ବେଳେ ପଞ୍ଚମ ଦିନର ଖେଳ ସମାପ୍ତ ହୋଇଥିଲା । ପ୍ରଥମ ଇନିଂସ ଅଗ୍ରଣୀ ବଳରେ ସୌରାଷ୍ଟ୍ର ପ୍ରଥମ ଥର ଚାମ୍ପିୟନ୍‌ ହୋଇଥିଲା ।

ପ୍ରଥମ ଇନିଂସରେ ସୌରାଷ୍ଟ୍ର 425 ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅର୍ପିତ୍‌ ବାସବଦା ସର୍ବାଧିକ 106 ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା 66 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ବେଙ୍ଗଲ ବ୍ୟାଟ୍ସମ୍ୟାନ୍‌ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସୁଦୀପ ଚାଟାର୍ଜୀ ସର୍ବାଧିକ 81 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଦ୍ଧିମାନ ଶାହା 64 ରନ୍‌ କରିଥିବା ବେଳେ ବେଙ୍ଗଲ ଚତୁର୍ଥ ଦିବସ ଶେଷ ସୁଦ୍ଧା 89 ରନ୍‌ ପଛରେ ରହିଥିଲା । କ୍ବାର୍ଟର ଫଶଇନାଲ୍‌ ଏବଂ ସେମିଫାଇନାଲ୍‌ ହିରୋ ଅନୁସ୍ତୂପ ମଜୁମଦାର ଅପରାଜିତ ଥିବା ବେଳେ ବେଙ୍ଗଲ ପ୍ରଥମମ ଇନିଂସ ଅଗ୍ରଣୀ ହାସଲ କରିବା ନେଇ ଆଶା କରାଯାଉଥିଲା । ମାତ୍ର ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ ଗୋଟିଏ ଓଭରରେ ମଜୁମଦାର(63) ଏବଂ ଆକାଶ ଦୀପ(0)ଙ୍କୁ ଆଉଟ କରିବା ସହିତ ସୌରାଷ୍ଟ୍ରକୁ ପ୍ରଥମ ଇନିଂସ ଅଗ୍ରଣୀ ପ୍ରଦାନ କରିଥିଲେ । ଅର୍ପିତ୍‌ ବାସବଦାଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

21 ବର୍ଷର ରେକର୍ଡ ଭାଙ୍ଗିଲେ ଉନାଦକତ୍‌ : ରଣଜୀ ଫାଇନାଲ୍‌ରେ ସୌରାଷ୍ଟ୍ର

ରାଜକୋଟ : ଗୁଜରାଟକୁ 92 ରନ୍‌ରେ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି ସୌରାଷ୍ଟ୍ର । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ 7 ଓ୍ବିକେଟ୍‌ ଅକ୍ତିଆର କରିବା ସହିତ 21 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଚଳିତ ସିଜିନ୍‌ରେ ଉନାଦକତ୍‌ 65 ଓ୍ବିକେଟ ଅକ୍ତିଆର କରି 1998-99 ମସିହାରେ ଡୋଡା ଗଣେଷଙ୍କ 62 ଓ୍ବିକେଟ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି 304 ରନ୍‌ କରିଥିବା ବେଳେ ଗୁଜରାଟ 252 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ସୌରାଷ୍ଟ୍ର 66 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିବା ବେଳେ ଅର୍ପିତ ବାସବଦାଙ୍କ 139 ରନ୍‌ ବଳରେ ସୌରାଷ୍ଟ୍ର 274 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ମଧ୍ୟ 63 ରନ୍‌ରେ 5 ଓ୍ବିକେଟ୍‌ ହରାଇଥିଲେ । ଅଧିନାୟକ ପାର୍ଥିବ ପଟେଲ(93) ଏବଂ ଚିରାଗ ଗାନ୍ଧୀ(96)ଙ୍କ ମଧ୍ୟରେ 137 ରନ୍‌ର ଭାଗିଦାରୀ ହୋଇଥିଲା । ମାତ୍ର ଉନାଦ୍‌କତ୍‌ ଦୁଇ ଓଭର ମଧ୍ୟରେ ଦୁଇ ଜଣଙ୍କୁ ଆଉଟ୍‌ କରି ସୌରାଷ୍ଟ୍ରକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ । ଅର୍ପିତ ବାସବଦାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 9 ତାରିଖରେ ବେଙ୍ଗଲ ଏବଂ ସୌରାଷ୍ଟ୍ର ମଧ୍ୟରେ ଫାଇନାଲ୍‌ ଖେଳାଯିବ । (ଏଜେନ୍ସି)

Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : କର୍ଣ୍ଣାଟକକୁ ହରାଇ ଫାଇନାଲ୍‌ରେ ବେଙ୍ଗଲ

କୋଲକାତା : ରଣଜୀ ଟ୍ରଫି ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ବେଙ୍ଗଲ । କର୍ଣ୍ଣାଟକକୁ 174 ରନ୍‌ରେ ପରାସ୍ତ କରି ବେଙ୍ଗଲ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ନିଜର ତୃତୀୟ ଟାଇଟଲ୍‌ ଲକ୍ଷ୍ୟରେ ରହିଛି । ବେଙ୍ଗଲ ପକ୍ଷରୁ ଅନୁସ୍ତୂପ ମଜୁମଦାର ଶତକ ହାସଲ କରିଥିବା ବେଳେ ଇଶାନ ପୋରେଲ 7 ଏବଂ ମୁକେଶ କୁମାର 8 ଓ୍ବିକେଟ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ବେଙ୍ଗଲ ଅନୁସ୍ତୂପ ମଜୁମଦାରଙ୍କ ଅପରାଜିତ 149 ରନ୍‌ ସହାୟତାରେ 312 ରନ୍‌ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ମାତ୍ର 122 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଇଶାନ ପୋରେଲ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ବେଙ୍ଗଲ 161 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ପୁନର୍ବାର ମଜୁମଦାର 41 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ସମ୍ମୁଖରେ 352 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ ମାତ୍ର 177 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ମୁକେଶ କୁମାର 6ଟି ଓ୍ବିକେଟ ସହିତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନୁସ୍ତୂପ ମଜୁମଦାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : ପ୍ରଥମ ଇନିଂସ ଅଗ୍ରଣୀ ସହିତ କ୍ବାର୍ଟରରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍‌ ଗ୍ରୁପ୍‌ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ କରିଛି । ଗ୍ରୁପ୍‌ ସିରୁ ଓଡିଶା 38 ପଏଣ୍ଟ ସହିତ କ୍ବାର୍ଟରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା 436 ରନ୍‌ କରିଥିବା ବେଳେ ଝାରଖଣ୍ଡ 356 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସରେ 80 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ବିତୀୟ ଇନିଂସରେ 1 ଓ୍ବିକେଟ ହରାଇ 187 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା । ଶୁଭ୍ରାଂଶୁ ସେନାପତି 100 ରନ୍‌ରେ ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ 156 ରନ୍‌ର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଖେଳ

ଆସାମ ବିପକ୍ଷରେ ଇନିଂସ ବିଜୟ ସହିତ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ : ଓଡିଶା ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାର ଅନ୍ତିମ ଦିବସରେ ମ୍ୟାଚ୍‌ ଜତିନେଇଛି ଓଡିଶା । ଆସାମକୁ ଏକ ଇନିଂସ ଓ 3 ରନ୍‌ରେ ପରାସ୍ତ କରି ଓଡିଶା ପୁନର୍ବାର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ ଇନିଂସରେ ଓଡିଶା 436 ରନ୍‌ କରିଥିବା ବେଳେ ଆସାମ 238 ରନ୍‌ରେ ସମସ୍ତ ଓ୍ବିକେଟ ହରାଇ ଫଲୋଅନ୍‌ ଡାକରା ପାଇଥିଲା । ଦ୍ବତୀୟ ଇନିଂସରେ ଆସାମର ଦୁଇ ଓପନର ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ । 198 ରନ୍‌ ପଛରେ ରହିଥିବା ଆସାମ ପକ୍ଷରୁ ଦୁଇ ଓପ୍‌ନର କୁନାଲ ସାଇକିଆ(74) ଏବଂ ଶୁଭମ ମଣ୍ଡଳ(72) ପ୍ରଥମ ଓ୍ବିକେଟରେ 124 ରନ୍‌ ଯୋଡିଥିଲେ । ପ୍ରଥମ ଓ୍ବିକେଟର ପତନ ପରେ ଆସାମ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା । ଦୁଇ ଜଣଙ୍କ ବ୍ୟତିତ 11 ନମ୍ବର ବ୍ୟାଟ୍ସମ୍ୟାନ୍‌ ଅରୂପ ଦାସ(13) କେବଳ ଦୁଇ ଅଙ୍କ ଛୁଇଁଥିଲେ । ଆସାମର 8 ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିବା ବେଳେ ଓଡିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଦେବବ୍ରତ ପ୍ରଧାନ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 79 ରନ୍‌ ଏବଂ 7ଟି ଓ୍ବିକେଟ ଅକ୍ତିଆର କରିଥିବା ଦେବବ୍ରତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : ସିଜିନ୍‌ର ପ୍ରଥମ ପରାଜୟ ସହ ପଏଣ୍ଟ ଟେବୁଲ୍‌ର ଦ୍ବିତୀୟ ସ୍ଥାନକୁ ଖସିଲା ଓଡିଶା

ସମୀକ୍ଷା ବ୍ୟୁରୋ
କଟକ : କଟକର ଡ୍ରିମ୍‌ସରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଚଳିତ ସିଜିନ୍‌ର ପ୍ରଥମ ପରାଜୟ ବରଣ କରିଛି ଓଡିଶା । ଷଷ୍ଠ ମ୍ୟାଚ୍‌ ଖେଳୁଥିବା ଓଡିଶାକୁ 4 ଓ୍ବିକେଟ୍‌ରେ ପରାସ୍ତ କରିଛି ପରଭେଜ୍‌ ରସୁଲଙ୍କ ଜମ୍ମୁ କାଶ୍ମୀର । ଜମ୍ମୁ କାଶ୍ମୀର ସମ୍ମୁଖରେ 204 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ 6 ଓ୍ବିକେଟ ହରାଇ ବିଜୟ ହାସ କରି ନେଇଥିଲା । ଜମ୍ମୁ କାଶ୍ମୀର ପକ୍ଷରୁ ଓପ୍ନର ସୂର୍ଯ୍ୟାଂଶ ରାଇନା(69) ଏବଂ ଶୁଭମ ପୁନ୍ଦିର(45) ତୃତୀୟ ଓ୍ବିକେଟ୍‌ରେ 77 ରନ୍‌ ଯୋଡି ଦଳର ବିଜୟ ପକ୍କା କରିଥିଲେ । 116 ରନ୍‌ରେ ତୃତୀୟ ଓ୍ବିକେଟର ପତନ ପରେ ଦଳ ଲଗାତାର 4 ଓ୍ବିକେଟ ହରାଇ 163/6ରେ ପହଞ୍ଚିଥିଲା । ଏହି ସମୟରେ ଉଭୟ ଦଳ ନିକଟରେ ସମାନ ସୁଯୋଗ ରହିଥିଲା । ମାତ୍ର ଅବଦୁଲ ସମାଦ(30, 26 ବଲ୍‌) ଏବଂ ଆକ୍ବିବ୍‌ ନବି(26, 25 ବଲ୍‌) ଆକ୍ରମଣ କରି ଓଡିଶା ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଆକ୍ବିବ୍‌ ନବିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : ହ୍ୟାଟ୍ରିକ୍‌ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡିଶା 10 ଓ୍ବିକେଟ୍‌ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍‌ରୁ 21 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ଚତୁର୍ଥ ଇନିଂସରେ ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଦଳ କୌଣସି ଓ୍ବିକେଟ ନହରାଇ 60 ରନ୍‌ ସଂଗ୍ରହ କରିଥିଲା । ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବସନ୍ତ ମହାନ୍ତିଙ୍କ 6 ଓ୍ବିକେଟ୍‌ ଫଳରେ ଉତ୍ତରାଖଣ୍ଡ 117 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଜବାବରେ ଶାନ୍ତନୁ ମିଶ୍ର(110)ଙ୍କ ଶତକ ସହାୟତାରେ ଓଡିଶା 253 ରନ୍‌ ସଂଗ୍ରହ କରିଥିଲା । 116 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ପକ୍ଷରୁ ତୃତୀୟ ଇନିଂସରେ ସୂର୍ଯ୍ୟକାନ୍ତ ପ୍ରଧାନ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ 195 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଓଡିଶା କୌଣସି ଓ୍ବିକେଟ୍‌ ନହରାଇ ବିଜୟ ହାସଲ କରିବା ସହିତ ବୋନସ ପଏଣ୍ଟ ହାସଲ କରିଥିଲା ।
ସଂକ୍ଷିପ୍ତ ସ୍କୋର :
ଉତ୍ତରାଖଣ୍ଡ ପ୍ରଥମ ଇନିଂସ 117, ଦୀକ୍ଷାଂଶୁ ନେଗୀ:36, ବସନ୍ତ ମହାନ୍ତି :17/6
ଓଡିଶା ପ୍ରଥମ ଇନିଂସ : 253, ଶାନ୍ତନୁ ମିଶ୍ର 110, ସନ୍ନି ରାଣା : 45/3
ଉତ୍ତରାଖଣ୍ଡ ଦ୍ବିତୀୟ ଇନିଂସ 195, ଧନରାଜ ଶର୍ମା:50, ସୂର୍ଯ୍ୟକାନ୍ତ ପ୍ରଧାନ :63/5
ଓଡିଶା ଦ୍ବିତୀୟ ଇନିଂସ : 60/0, ଶାନ୍ତନୁ ମିଶ୍ର 29*

Categories
ଆଜିର ଖବର ଖେଳ

ଡ୍ରିମ୍ସ ରଣଜୀ ମୁକାବିଲାରେ ବସନ୍ତଙ୍କୁ 6 ଓ୍ବିକେଟ୍‌ : 117ରେ ସମାପ୍ତ ହେଲା ଉତ୍ତରାଖଣ୍ଡ ଇନିଂସ

ସମୀକ୍ଷା ବ୍ୟୁରୋ
କଟକ, 25/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍‌ରେ ଅଲଆଉଟ ହୋଇଛି । ଓଡିଶା ପକ୍ଷରୁ ଭେଟେରାନ୍‌ ପେସ୍‌ ବୋଲର ବସନ୍ତ ମହାନ୍ତି 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ମହାନ୍ତି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଉତ୍ତରାଖଣ୍ଡ ପକ୍ଷରୁ ଦୀକ୍ଷାଂଶୁ ନେଗୀ ସର୍ବାଧିକ 36 ରନ୍‌ ସଂଗ୍ରହ କରିଥିବା ବେଳେ ମାତ୍ର 4 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁଥିଲେ । ବସନ୍ତ 19.4 ଓଭର ବୋଲିଂ କରି 17 ରନ୍‌ ବିନିମୟରେ 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Categories
ଆଜିର ଖବର

ସର୍ଭିସେସ୍‌କୁ ଇନିଂସ ଓ 31 ରନ୍‌ରେ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 20/12 : ରଣଜୀ ଟ୍ରଫିରେ ଓଡିଶା ନିଜର ଭଲ ପ୍ରଦର୍ଶନ ଜାରି ରଖିଛି । କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ଇନିଂସ ବିଜୟ ସହିତ ଓଡିଶା ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ସର୍ଭିସେସ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସର୍ଭିସେସ 271 ରନ୍‌ ସଂଗ୍ରହ କରିଥିବା ବେଳେ ଓଡିଶା 540 ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ବସନ୍ତ ମହାନ୍ତି 69 ରନ୍‌ ବିନିମୟରେ 6 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ପକ୍ଷରୁ ଦେବାଶିଷ ସାମନ୍ତରାୟ (195) ଏବଂ ବିପ୍ଲବ ସାମନ୍ତରାୟ(73) ରନ୍‌ ସଂଗ୍ରହ କରିବାରୁ ଓଡିଶା 540 ରନ୍‌ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ 57 ରନ୍‌ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 28 ବଲ୍‌ରୁ 64 ରନ୍‌ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ସର୍ଭିସେସ୍‌ର ବ୍ୟାଟିଂ ମଧ୍ୟ କ୍ଲିକ୍‌ କରିନଥିଲା । ଦଳ ମାତ୍ର 238 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ବିକାଶ ହାଥିଓ୍ବାଲା 71 ରନ୍‌ ସଂଗ୍ରହ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ଅଭିଷେକ ରାଉତ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର

ରଣଜୀ ଟ୍ରଫି : 400 ଓ୍ବିକେଟ କ୍ଲବ୍‌ରେ ଆର. ବିନୟ କୁମାର

ପାଟନା,13/12 : ପୂର୍ବତନ କର୍ଣ୍ଣାଟକ ଅଧିନାୟକ ତଥା ଦ୍ରୁତ ବୋଲର ଆର ବିନୟ କୁମାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଦଶମ ଖେଳାଳି ଭାବରେ ରଣଜୀ ଟ୍ରଫିରେ 400 ଓ୍ବିକେଟ ହାସଲ କରିବାର କୃତିତ୍ବ ହାସଲ କରିଛନ୍ତି ବିନୟ କୁମାର । ପୁଡୁଚେରୀ ଏବଂ ପାଟନା ମ୍ୟାଚ୍‌ରେ ବିନୟ କୁମାର 57 ରନ୍‌ରେ 4 ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ପୁଡୁଚେରୀ 10 ଓ୍ବିକେଟ୍‌ରେ ବିଜୟୀ ହୋଇଥଲା । ଏହି ମ୍ୟାଚ୍‌ ପୂର୍ବରୁ ବିନୟ କର୍ଣ୍ଣାଟକ ପାଇଁ 397 ଓ୍ବିକେଟ ଅକ୍ତିଆର କରିଥିଲେ । ପଶ୍ଚିମବଙ୍ଗର ବାମହାତୀ ସ୍ପିନର ଉତ୍ପଳ ଚାଟାର୍ଜୀଙ୍କୁ ଅତିକ୍ରମ କରି ବିନୟ 10ମ ସ୍ଥାନରେ ପହଞ୍ଚିଛନ୍ତି । 637 ଓ୍ବିକେଟ ସହିତ ରାଜିନ୍ଦର ଗୋଏଲ ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିନୟ କୁମାର ଗୋଟିଏ ଟେଷ୍ଟ, 31ଟି ଦିନିକିଆ ଏବଂ 9ଟି ଟି20 ମୁକାବିଲାରେ ଭାରତୀୟ ଜର୍ସିରେ ନଜର ଆସିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ପ୍ରତ୍ୟାବର୍ତ୍ତନ ଟେଷ୍ଟରେ ବରୋଦା ବିପକ୍ଷରେ ପୃଥ୍ବୀ ଶଙ୍କ ଦ୍ବିଶତକ

ମୁମ୍ବାଇ, 11/12 : ମୁମ୍ବାଇର ୟଙ୍ଗ ସେନସେସନ୍‌ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମୁମ୍ବାଇର ଦ୍ବିତୀୟ ଇନିଂସରେ ଶ 179ଟି ବଲ୍‌ର ସମ୍ମୁଖୀନ ହୋଇ 202 ରନ୍‌ ସଂଗ୍ରହ କରିଥିଲେ । ଶଙ୍କ ଇନିଂସ ମଧ୍ୟରେ 19ଟି ଚୌକା ଏବଂ 7ଟି ଛକ୍କା ସାମିଲ ଥିଲା । ଦୀର୍ଘ 8 ମାସର ବ୍ୟବଧାନ ପରେ 4 ଦିନିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ ପ୍ରଥମ ଇନିଂସରେ ମଧ୍ୟ 66 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ମୁମ୍ବାଇ 431 ରନ୍‌ କରିଥିବା ବେଳେ ବରୋଦା 307 ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଶ(202) ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ 102 ଫଳରେ ମୁମ୍ବାଇ 4 ଓ୍ବିକେଟ୍‌ ହରାଇ 409 ରନ୍‌ ସଂଗ୍ରହ କରିଛି । (ଏଜେନ୍ସୀ)

Categories
ଆଜିର ଖବର

ପେସ୍‌ ବୋଲରଙ୍କ ସଫଳତା : ଛତିଶଗଡକୁ ଇନିଂସ ଓ 3 ରନ୍‌ରେ ପରାସ୍ତ କଲା ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12 : ପେସ୍‌ ବୋଲରଙ୍କ ସଫଳତା ବଳରେ ରଣଜୀ ଟ୍ରଫିର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ଓଡିଶା । ଓଡିଶାର ପେସ୍‌ ବୋଲର ଛତିଶଗଡର ସମସ୍ତ 20 ଓ୍ବିକେଟ ଅକ୍ତିଆର କରିବାରୁ ଓଡିଶା ଏକ ଇନିଂସ ଏବଂ 3 ରନ୍‌ରେ ବିଜୟୀ ହୋଇଛି । ଛତିଶଗଡର ରାୟପୁରରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି (47/6)ଙ୍କ ଘାତକ ବୋଲିଂ ଫଳରେ ଛତିଶଗଡ ମାତ୍ର 134 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ବସନ୍ତ ମହାନ୍ତି 3ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ସୁଜିତ ଲେଙ୍କାଙ୍କ(56) ରନ୍‌ ସହାୟତାରେ ଓଡିଶା 215 ରନ୍‌ ସଂଗ୍ରହ କରିଥିଲା । 81 ରନ୍‌ ପଛରେ ରହିଥିବା ଛତିଶଗଡ ଦ୍ବିତୀୟ ଇନିଂସରେ ମାତ୍ର 78 ରନ୍‌ରେ ଅଲ୍‌ଆଉଟ ହେବାରୁ ଓଡିଶା ଇନିଂସ ଏବଂ ତିନି ରନ୍‌ରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ 4ଟି ଲେଖାଏଁ ଓ୍ବିକେଟ କରିଥିବା ବେଳେ ବସନ୍ତ ମହାନ୍ତି ଅନ୍ୟ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୁଜିତ ଲେଙ୍କାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଇନିଂସ ବିଜୟ ପାଇଁ ବୋନସ ପଏଣ୍ଟ ସହିତ ଓଡିଶା 7 ପଏଣ୍ଟ ହାସଲ କରିଛି ।