ରଣଜୀ ଟ୍ରଫି : 73 ବର୍ଷରେ ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ୍‌

Published: Mar 13, 2020, 7:56 pm IST

ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍‌ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି । 73 ବର୍ଷ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ଚାମ୍ପିୟନ୍‌ ହୋଇଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ 425 ରନ୍‌ କରିଥିବା ବେଳେ ବେଙ୍ଗଲ ପ୍ରଥମ ଇନିଂସରେ 381 ରନ୍‌ରେ ଅଲ୍‌ଆଉଟ୍‌ ହେବା ସହିତ 44 ରନ୍‌ରେ ପଛୁଆ ରହିଥିଲା । ସୌରାଷ୍ଟ୍ର ଦ୍ବିତୀୟ ଇନିଂସରେ 105 ରନ୍‌ରେ 4ଟି ଓ୍ବିକେଟ୍‌ କରିଥିବା ବେଳେ ପଞ୍ଚମ ଦିନର ଖେଳ ସମାପ୍ତ ହୋଇଥିଲା । ପ୍ରଥମ ଇନିଂସ ଅଗ୍ରଣୀ ବଳରେ ସୌରାଷ୍ଟ୍ର ପ୍ରଥମ ଥର ଚାମ୍ପିୟନ୍‌ ହୋଇଥିଲା ।

ପ୍ରଥମ ଇନିଂସରେ ସୌରାଷ୍ଟ୍ର 425 ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅର୍ପିତ୍‌ ବାସବଦା ସର୍ବାଧିକ 106 ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା 66 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ବେଙ୍ଗଲ ବ୍ୟାଟ୍ସମ୍ୟାନ୍‌ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସୁଦୀପ ଚାଟାର୍ଜୀ ସର୍ବାଧିକ 81 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଦ୍ଧିମାନ ଶାହା 64 ରନ୍‌ କରିଥିବା ବେଳେ ବେଙ୍ଗଲ ଚତୁର୍ଥ ଦିବସ ଶେଷ ସୁଦ୍ଧା 89 ରନ୍‌ ପଛରେ ରହିଥିଲା । କ୍ବାର୍ଟର ଫଶଇନାଲ୍‌ ଏବଂ ସେମିଫାଇନାଲ୍‌ ହିରୋ ଅନୁସ୍ତୂପ ମଜୁମଦାର ଅପରାଜିତ ଥିବା ବେଳେ ବେଙ୍ଗଲ ପ୍ରଥମମ ଇନିଂସ ଅଗ୍ରଣୀ ହାସଲ କରିବା ନେଇ ଆଶା କରାଯାଉଥିଲା । ମାତ୍ର ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍‌ ଗୋଟିଏ ଓଭରରେ ମଜୁମଦାର(63) ଏବଂ ଆକାଶ ଦୀପ(0)ଙ୍କୁ ଆଉଟ କରିବା ସହିତ ସୌରାଷ୍ଟ୍ରକୁ ପ୍ରଥମ ଇନିଂସ ଅଗ୍ରଣୀ ପ୍ରଦାନ କରିଥିଲେ । ଅର୍ପିତ୍‌ ବାସବଦାଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Related posts