
ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ ଅନ୍ତର୍ଗତ ଦଣ୍ଡମିର, ଆହାଣା, ବାଲିଝରୀ ଗ୍ରାମ ମାନଙ୍କରେ ମାଙ୍କଡ ଆତଙ୍କ ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। କିଛିଦିନ ତଳେ ଦଣ୍ଡମିର, ଆହାଣା, ବାଲିଝରି ଗ୍ରାମର ୧୦ଜଣରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ମାଙ୍କଡ କାମୁଡିଥିବା ବେଳେ ବାଲିଝାରି ଗ୍ରାମର କଣ୍ଡୁରୀ ଘଡେଇ, ଆହାଣା ଗ୍ରାମର ସାକୁଲି ସେଠୀ, ଦଣ୍ଡମିର ଗ୍ରାମର ବନଲତା କାଣ୍ଡି ପ୍ରମୂଖ ମାଙ୍କଡ କାମୁଡାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ଗତକାଲି ଦିନ ତିନିଟା ବେଳେ ଆହାଣା ଗ୍ରାମର ଜିତେନ ଘଡେଇଙ୍କ ପତ୍ନି୍ଙ୍କ ଡାହାଣ ହାତକୁ ମାଙ୍କଡ କାମୁଡି ପୁଳାଏ ମାଉଁସ ନେଇଯାଇ ଗାଡ କରିଦେଇଥିଲା। ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ କଟକରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ଜଣାପଡିଛି।
ଉକ୍ତ ଅଂଚଳରେ ଏବେ ମାଙ୍କଡ ଆତଙ୍କ ଯୋଗୁଁ ଛୋଟପିଲା ଠାରୁ ବୁଢାବୁଢି ଯାଏ ସମସ୍ତେ ଭୟଭିତ ଅବସ୍ଥାରେ ଅଛନ୍ତି। ଏପରିକି ବାପା ମା’ ମାନେ ତାଙ୍କ ପିଲାମାନଙ୍କୁ ପାଠପଢିବା ପାଇଁ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ ସୁରକ୍ଷିତ ମଣୁନାହାଁନ୍ତି। ଏହି ଦୁଷ୍ଟ ମାଙ୍କଡମାନଙ୍କ ଆତଙ୍କରେ ଅତିଷ୍ଠ ହୋଇ ସ୍ଥାନିୟ ଗ୍ରାମବାସୀ ତିର୍ତ୍ତୋଲ ତହସିଲ୍ ରେ ଲିଖିତ ଅଭିଯୋଗ କରି ପ୍ରଶାସନର ସହାୟତା ଲୋଡିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଯଥାଶିଘ୍ର କୌଣସି ପଦକ୍ଷପ ନିଆ ନଗଲେ ସ୍ଥାନୀୟ ଗ୍ରାମବାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି।