
ଜୟପୁର : ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । (ଏଜେନ୍ସି)