Categories
ଆଜିର ଖବର ରାଜ୍ୟ ଖବର

ମହଙ୍ଗା ପଡିଲା କୋରୋନା ଗୁଜବ : କେନ୍ଦ୍ରାପଡାର 4 ଯୁବକ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌କୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ 4 ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଏହି 4 ଯୁବକଙ୍କ ପରିଚୟ ଗୋପନ ରଖାଯାଇଥିବା ବେଳେ ଏମାନେ କୋରୋନା ଭାଇରସ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମିଥ୍ୟା ଅପପ୍ରଚାର କରୁଥିଲେ । ଚାରି ଯୁବକ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କୋରୋନା ଭାଇରସ୍‌ ସମ୍ପର୍କରେ ଗୁଜବ ପ୍ରଚାର କରୁଥିଲେ । କେନ୍ଦ୍ରାପଡା ଟାଉନ୍‌ ଥାନା ପୋଲିସ୍‌ ଏହି 4 ଯୁବକଙ୍କୁ ଗିରଫ କରିଛି ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ହଟିଲା ସୋସିଆଲ ମିଡିଆ କଟକଣା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଶାଲୀନ୍‌ କବ୍ରା ଏହି ପ୍ରତିବନ୍ଧକ ହଟାଇବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟିଥିଲେ ମଧ୍ୟ ଇଣ୍ଟରନେଟ୍‌ ସେବା 2ଜି ହିଁ ରହିବ ବୋଲି ଘୋଷଣା କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୈରାଗ୍ୟ ବନାମ ସୋସିଆଲ ମିଡିଆ ଅନୁରାଗ, ଏକ ଭିନ୍ନ ଦୃଷ୍ଟି

କେଦାର ମିଶ୍ର

ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ।

ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ମୂଳତଃ ସୋସିଆଲ ମିଡିଆକୁ ଆଧାର କରି ନିର୍ମାଣ ହୋଇଛି। ଯଦି ସୋସିଆଲ ମିଡିଆ ନଥାନ୍ତା, ତାହେଲେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କି ନାହିଁ, ସେ ଏକ ପ୍ରଶ୍ନବାଚୀ ହୋଇ ସବୁବେଳେ ରହିବ। ତେଣୁ ସୋସିଆଲ ମିଡିଆରୁ ମୋଦୀ ଦୂରେଇ ରହିବେ ବୋଲି ଭାବିବାର ସେମିତି କୌଣସି କାରଣ ବର୍ତ୍ତମାନ ନାହିଁ। ହେଲେ ସୋସିଆଲ ମିଡିଆର ଆଚରଣରେ ମୋଦୀ ଓ ତାଙ୍କ ଦଳ ବିଜେପି ଯେ ବିଶେଷ ଖୁସି ନୁହେଁ, ତାହା ଏହି ଘଟଣାରେ ସ୍ପଷ୍ଟ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ବ୍ୟକ୍ତ କଳା କ୍ଷଣି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା କହିଲେ,  ଏ ସବୁ ସୋସିଆଲ ମିଡିଆ ଆଉ ଭରସାଯୋଗ୍ୟ ନୁହନ୍ତି। ଆମକୁ ଆମର ବିକଳ୍ପ ତିଆରି କରିବାକୁ ପଡିବ। ସରକାର ଓ ସରକାରୀ ଦଲପରତି ସମାଲୋଚନାକୁ ଗ୍ରହଣ କରିନେବାର ଗଣତାନ୍ତ୍ରିକ ମାନସିକତା ବିଜେପି ପାଖରେ କେବେ ନଥିଲା। ତେଣୁ, ଆଜି ଯେତେବେଳେ ସୋସିଆଲ ମିଡିଆରେ ମୁକ୍ତ ସମାଲୋଚନାର ଜୁଆର ଆସିଛି, ତାକୁ ନେଇ ବିଜେପି ଚିନ୍ତିତ ହେବା ସ୍ଵାଭାବିକ।

ତେବେ ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ ମିଡିଆ ପ୍ରତି ରହିଥିବା ବୈରାଗ୍ୟ ବିଷୟରେ ସୂଚନା ଦେବାକୁ ଯାଇ ଭିନ୍ନ କିଛି ଇଙ୍ଗିତ ଦେଇଛନ୍ତି କି? ଭବିଷ୍ୟତରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ଏ ପ୍ରକାର ଘୋଷଣାକୁ ଏକ ପ୍ରକାର ପରୀକ୍ଷା ନୀରୀକ୍ଷା ବୋଲି ଆମେ କହି ପାରିବା କି? ୟୁପିଏ ସରକାରର ଅନ୍ତିମ ବର୍ଷରେ ଯେତେବେଳେ ସରକାର ପ୍ରତି ପ୍ରବଳ ସମାଲୋଚନା ବଢିବା ଆରମ୍ଭ ହେଲା, ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ କପିଲ ଶିବଲ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ଏହାକୁ ତୀବ୍ର ବିରୋଧ କରା ଯାଇଥିଲା। ତେବେ କଂଗ୍ରେସ ଅମଳରେ ବିରୋଧ କଲେ, ତାର କିଛି ଟା ପ୍ରଭାବ ସରକାର ଉପରେ ପଡୁଥିଲା। ବିଜେପି ସରକାର ବିରୋଧୀ ମତ ପ୍ରତି ପ୍ରଚଣ୍ଡ ଭାବରେ ଅସହିଷ୍ଣୁ। ଯଦି ସରକାର ସୋସିଆଲ ମିଡିଆ ଉପରେ ସତରେ ଅଙ୍କୁଶ ଲଗାଇବାର କିଛି ଯୋଜନା କରନ୍ତି, ତାହେଲେ ତାକୁ ବିରୋଧ କରିବା ସହଜ ହେବନାହିଁ।

ସୋସିଆଲ ମିଡିଆର “ଅସାମାଜିକ” ପ୍ରଭାବ ମଧ୍ୟ କିଛି କମ ନୁହେଁ। ସାମାଜିକ ବିଦ୍ଵେଷ, ଦଙ୍ଗା ଓ ବିଭାଜନ ସୃଷ୍ଟିରେ ସୋସିଆଲ ମିଡିଆର ଭୂମିକା କିଛି କମ ଭୟଙ୍କର ନୁହେଁ। ଏହାକୁ ଆଳ କରି ସରକାର ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବା କଥା ଚିନ୍ତା କରିପାରନ୍ତି। ଅନ୍ୟ ଦୃଷ୍ଟିରୁ ଦେଖିଲେ କାଶ୍ମୀରରେ ଯେଉଁ ପ୍ରକାର ସ୍ଥିତି ତିଆରି କରାଯାଇଛି, ସରକାର ବିରୋଧୀ କ୍ଷେତ୍ର ଗୁଡିକରେ ସେ ପ୍ରକାର ପରୀକ୍ଷା ଭବିଷ୍ୟତରେ କରା ଯାଇପାରେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେତେବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା, ସେଠାରେ ସାମୟିକ ଭାବରେ ଇଣ୍ଟରନେଟକୁ ନିଷିଦ୍ଧ କରା ଯାଇଥିଲା। ସରକାର ବିରୋଧୀ ସ୍ଵରକୁ ଚପାଇବାକୁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବା ହେଉ ବା ଅଙ୍କୁଶ ଲଗାଇବାର ପ୍ରୟାସ ହେବା କିଛି ବିଚିତ୍ର ନୁହେଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସୋସିଆଲ ମିଡିଆଠାରୁ ଦୂରତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଆଦୌ ସହଜ କଥା ନୁହେଁ। ଲୋକଙ୍କ ସହିତ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ବ୍ୟତୀତ ତାଙ୍କର ଅନ୍ୟ ବିକଳ୍ପ ନାହିଁ। ମୁଖ୍ୟ ଧାରାର ଗଣମାଧ୍ୟମ ସହିତ ପ୍ରଧାନମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ କେବଳ ସୋସିଆଲ ମିଡିଆ ଜରିଆରେ ହିଁ ସମ୍ପର୍କ ରଖିଥାନ୍ତି। ମୋଦୀଙ୍କ ଶାସନ କାଳରେ ତାଙ୍କର କେହି ପ୍ରେସ ପରାମର୍ଶଦାତା ନାହାନ୍ତି। ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ପରି ମୋଦୀ ସିଧାସଳଖ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ତେଣୁ ସୋସିଆଲ ମିଡିଆ ଛଡା ଜନ ସମ୍ପର୍କ ର ଅନ୍ୟ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ।

ଆଗକୁ ସୋସିଆଲ ମିଡିଆ ପାଇଁ ମୋଦୀ ସରକାରର କିଛିଟା ସନ୍ଦେଶ ଯେ ରହିଛି, ଏହାର ବାସ୍ନା ଆମେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ପାଉଛୁ ନିଶ୍ଚୟ। ତେବେ ସେହି ସନ୍ଦେଶଟି କଣ, ତାହା ସମୟ କ୍ରମେ ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର

ସୋସିଆଲ୍‌ ମିଡିଆ ଛାଡିବା ଘଟଣା ଉପରୁ ପରଦା ଉଠାଇଲେ ମୋଦି

ନୂଆଦିଲ୍ଲୀ : ଗତକାଲି ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତି 9 ଟା ସମୟରେ ମୋଦି ଏହି ଟ୍ବିଟ୍‌ କରିଥିଲେ । ଆସନ୍ତା ରବିବାର ସମସ୍ତ ସୋସିଆଲ ମିଡିଆରୁ ଦୂରେଇ ରହିବା ପାଇଁ ମୋଦି ଘୋଷଣା କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଥିଲା । ବିଭିନ୍ନ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମଙ୍ଗଳବାର ଦିନ ମୋଦି ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ଆସନ୍ତା ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଛନ୍ତି ।

ସମାଜକୁ ନିଜ ଜୀବନ ଏବଂ କାର୍ଯ୍ୟଶୈଳୀ ଦ୍ବାରା ଅନୁପ୍ରାଣିତ କରୁଥିବା ମହିଳାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ସୋସିଆଲ ମିଡିଆ ଛାଡିବାର ନିଷ୍ପତ୍ତି ନେଇଛନ୍ତି ମୋଦି । ଏହିପରି ମହିଳା ମାନଙ୍କ କାହାଣୀ #sheinspiresus ଜରିଆରେ ସେୟାର କରିବାକୁ ମୋଦି ନିବେଦନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇ ଅଡୁଆରେ ଶିକ୍ଷକ

ଜୟପୁର : ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ

ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି।

ଚିଦାମ୍ବରମଙ୍କୁ ଘରୁ ସିବିଆଇ ଟେକି ନେବା ପରେ ପରେ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋଟିରେ ଜେଲ ଇଫେକ୍ଟ ଦେଇ ଛାଡିଛନ୍ତି
ଚିଦାମ୍ବରମକୁ ସିବିଆଇ ନେବା ପରେ ପରେ ବିଜେପିର ବରିଷ୍ଠ ନେତା ସୁବ୍ରମଣମ୍ୟ ସ୍ବାମୀଙ୍କ ଅଲଗା ସମୟର ଫଟୋକୁ ସୋସିଆଲ ମିଡିଆରେ ସାମିଲ କରି ସେ କେତେ ଖୁସି ଅଛନ୍ତି ବୋଲି ପ୍ରତିପାଦନ କରାଯାଇଛି।
ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଛି। କାରଣ ୨୦୧୦ ମସିହାରେ ଅମିତ ସାହା ଯେତେବେଳେ ଗୁଜୁରାଟର ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ
ଏହି ଫଟୋଟି ମଧ୍ୟ ୨୦୧୦ ମସିହାରେ ଚିତାମ୍ବରମ କିପରି ଗୃହମନ୍ତ୍ରୀ ଥିବା ବେଳେ ଅମିତ ସାହା ଗିରଫ ହୋଇଥିବା ବେଳେ ୨୦୧୯ କିପରି ଅମିତ ସାହା ଗୃହମନ୍ତ୍ରୀ ବେଳେ ଚିଦାମ୍ବରମ ଗିରଫ ହୋଇଛନ୍ତି ତାାହା ସୂଚାଇ ଦେଉଛି
ଏହି କାର୍ଟୁନଟି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଏହା ସୂଚାଇ ଦେଉଛି ଯେ, ଚିଦାମ୍ବରମ ଗିରଫ ହେବା ପରେ ଦେଶର ପ୍ରମୁଖ ସାମ୍ବାଦିକମାନେ କିପରି ଖୁସିରେ ନାଚିଯାଉଛନ୍ତି। ଫଟୋକୁ ଏଡ଼ିଟ୍ କରି ଏକ କାର୍ଟୁନ ତିଆରି କରାଯାଇଛି।
ଏହାକୁ ମଧ୍ୟ ଏକ ଚଳଚିତ୍ରର ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଛି।

Photos- Different Social Media

Categories
ଆଜିର ଖବର

ନିର୍ବାଚନରେ ବିଜୟ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଜଗନଙ୍କ ଧନ୍ୟବାଦ

ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଁ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ଏକ ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇବା ସହିତ ଜଗନ କହିଛନ୍ତି ଆପଣ ମାନଙ୍କ ସହାୟତା ଦଳକୁ ବିଜୟୀ କରାଇଥିବା ବେଳେ ଆପଣ ମାନଙ୍କ ନିୟମିତ ସହାୟତା ଆବଶ୍ୟକ। ଜଗନଙ୍କ ଏହି ଟ୍ବିଟ୍‌ ଏକ ଘଣ୍ଟା ମଧ୍ୟରେ ୭ହଜାର ଥର ରିଟ୍ବିଟ୍‌ ହୋଇଥିଲା।

Categories
ଆଜିର ଖବର

ଆମେରିକୀୟ ଭିସା ପାଇଁ ଦେବାକୁ ପଡିବ ୫ ବର୍ଷର ସୋସିଆଲ ମିଡିଆ ତଥ୍ୟ

ଆମେରିକା ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର ୫ ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାବ୍ୟତୀତ ନିଜ ଇ-ମେଲ ଏବଂ ଫୋନ ନମ୍ବର ବି ଦେବାକୁ ପଡ଼ିବ। ଫଳରେ ପ୍ରଶାସନ ଯେତେବେ​‌ଳେ ଚାହିଁବ ଆବେଦନକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବ। ସେହିପରି ଆବେଦନକାରୀଙ୍କୁ ବିଗତ ୧୫ ବର୍ଷ ଭିତରେ ତାଙ୍କ ଜୀବନ ଏବଂ ଶରୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ବି ପଚରା ଯାଇପାରିବ। ଏହି ନିୟମଗୁଡ଼ିକର ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା। କିନ୍ତୁ ଏହା ଦ୍ବାରା ୧୪ କୋଟି ୭୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରି ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହି ନୂଆ ନିୟମରୁ କିଛି କୁଟନୈତିକ ଏବଂ ଅଫିସିଆଲ ଭିସା ଆବେଦନକାରୀଙ୍କୁ ବାଦ ଦିଆଯିବ। ନିୟମ ସମ୍ପର୍କରେ ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନାଗରିକମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି।