ଏରସମାରେ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଗଣଧାରଣା ୨୪ ଦିନରେ

Published: Feb 13, 2020, 5:42 pm IST

ରମେଶ ମହାନ୍ତି
ଜଗତସିଂହପୁର: ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଏରସମାରେ ଚାଲିଥିବା ଆନ୍ଦୋଳନ ୨୪ ଦିନରେ ପହଞ୍ଚିଛି। ପ୍ଲାଣ୍ଟକୁ ବିରୋଧ କରି ଏରସମା ବ୍ଲକ୍‌ ଜିରାଇଲୋ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ନଅ ମୌଜି ହାଇସ୍କୁଲ ଫାଟକ ଆଗରେ ଏହି ଆନ୍ଦୋଳନ ହୋଇଛି। ଏହି ଗଣଧାରଣା ୨୩ ଦିନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। କିଛି ଦିନ ମଧ୍ୟରେ ମେଟ୍ରିକ୍‌ ପରୀକ୍ଷା ଥିବାରୁ ସ୍କୁଲ ସମ୍ମୁଖରୁ ଏହି ଆନ୍ଦୋଳନ ହଟିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିମିଲୋ ରାଜସ୍ୱ ଗ୍ରାମର ସୀମାରେ ପ୍ରସ୍ତାବିତ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟ ୧ ଏକର ୭୨ ଡିସିମିଲ ଜମି ଉପରେ ୩ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ପ୍ରୋସେସିଂ ପ୍ଲାଣ୍ଟ ହେଲେ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବା ସହ ପୁତିଗନ୍ଧମୟ ପରିବେଶ ଦ୍ବାରା ଗାଁ ,ବିଦ୍ୟାଳୟ ଓ ସ୍ଥାନୀୟ ଲୋକମାନେ ପ୍ରଭାବିତ ହେବେ।

Related posts