ରଂଜିତ୍ ପଣ୍ଡା
ପାରାଦୀପ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଚସ୍’ ପକ୍ଷରୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନିତ ହେବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଆଉ 10 ଜଣ ବ୍ୟକ୍ତବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯିବ । ଆସନ୍ତା 20 ତାରିଖରେ କନ୍ଷ୍ଟିଚ୍ୟୁସନ୍ କ୍ଲବ ଅଫ୍ ଇଣ୍ଡିଆ ସଭାଗୃହରେ ଷଷ୍ଠ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଓଡ଼ିଆ ଭାଷା ଭର୍ଚୁଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ ଶ୍ରୀ ମହାପାତ୍ର ମାତୃଭାଷା ପାଇଁ ତାଙ୍କର ବିଶେଷ ଅବଦାନ ତଥା ଜଣେ ସୁନାମଧନ୍ୟ ଲେଖକ ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ ମାତୃଭାଷାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ କରାଇବାରେ ବିଶେଷ ଅବଦାନ ପାଇଁ ସୁନାମଧନ୍ୟ ଲେଖକ, କାହାଣୀକାର ତଥା ନିର୍ଦ୍ଦେଶକ ଅଭିନେତା ପ୍ରଶାନ୍ତ ନନ୍ଦଙ୍କୁ ‘ଆମ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ଅନୁବାଦକ ବସନ୍ତ କୁମାର ତ୍ରିପାଠୀ, ସାମୁଦାୟିକ ମିଡ଼ିଆ କର୍ମୀ ଏନ୍.ଏ. ଅନ୍ସାରୀ, ନୃତ୍ୟାଙ୍ଗନା ଗାୟତ୍ରୀ ମିଶ୍ର ଯୋଶୀଙ୍କୁ ସମ୍ମାନିତ କରାଯିବ । ଯୁବ ପ୍ରେରଣା ସମ୍ମାନରେ ସଂଗ୍ରାମ କେଶରୀ ସେନାପତି ଓ କ୍ଷେତ୍ରବାସୀ ନାୟକଙ୍କୁ ପ୍ରଦାନ କରାଯିବ । ଓଡ଼ିଆ ଭାଷାର ଉନ୍ନତି ପାଇଁ ଅନବରତ କାର୍ଯ୍ୟରତ ‘ସମାଜ’ ଖବରକାଗଜ, ମହାନଦୀ କୋଲ୍ଡଫିଲ୍ଡ ଏବଂ କାଦମ୍ବିନୀ ସାହିତ୍ୟ ଉତ୍ସବକୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନିତ କରାଯିବ ।