
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍. ମୂରଲୀଧରଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ରାହୁଲ୍ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି। ଦିଲ୍ଲୀ ହିଂସା ମାମଲାରେ ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. ମୂରଲୀଧରଙ୍କ ରାତାରାତି ବଦଳିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟକୁ ଅବରୁଦ୍ଧ କରିବାର ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏହି ଦୁଇ ନେତା।
ରାହୁଲ୍ ଗାନ୍ଧି ଏହି ଅବସରରେ ଦିବଙ୍ଗତ ବିଚାରପତି ଲୋୟାଙ୍କ ମାମଲାକୁ ଉଲ୍ଲେଖ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସୂଚନାଯୋଗ୍ୟ, ଶୋହରାବୁଦ୍ଦିନ୍ ଶେଖ୍ ଏନକାଉଣ୍ଟର ମାମଲାରେ ଶୁଣାଣି କରୁଥିବା ସିବିଆଇ ଜଜ୍ ବିଏଚ୍ ଲୋୟାଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଅଭିଯୁକ୍ତ ରହିଥିଲେ। କିନ୍ତୁ ପରେ ସେ ସମସ୍ତ ଅଭିଯୁକ୍ତରୁ ମୁକ୍ତ ହୋଇଥିଲେ।
ସେହିପରି ପ୍ରିୟଙ୍କା ଗାନ୍ଧି ବିଚାରପତି ମୁରଲୀଧରନଙ୍କ ଅଧରାତ୍ରିରେ ବଦଳିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଏକ ଦୁଃଖଦ ତଥା ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ପ୍ରିୟଙ୍କା। କୋଟି କୋଟି ଭାରତୀୟଙ୍କ ନ୍ୟାୟପାଳିକା ଉପରେ ଆସ୍ଥା ରହିଛି । ଲୋକଙ୍କ ବିଶ୍ବାସକୁ ଭାଙ୍ଗିବା ସହିତ ନ୍ୟାୟକୁ ଅବରୁଦ୍ଧ କରିବା ପାଇଁ ସରକାରଙ୍କ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରିୟଙ୍କା। (ଏଜେନ୍ସି)