
ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରର ମୁଖ୍ୟ ରାସ୍ତାକୁ ନେଇ ସ୍ଥାନୀୟ ବାସୀ ହଇରାଣ ହରକତ ହେଉଛନ୍ତି। ସାମାନ୍ୟ ବର୍ଷାରେ ବାଣପୁରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇ ରହିଛି। ଆଜି ଅଦିନିଆ ବର୍ଷାରେ ବାଣପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଚିଆଙ୍କ ସାହି ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହି କୃତ୍ରିମ ନାଳର ଭ୍ରମ ସୃଷ୍ଟି କରିଛି। ବିପର୍ଯ୍ୟସ୍ତ ଡ୍ରେନ୍ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ବାଣପୁର ଉବୁଟୁବୁ ହେଉଛି। ଐତିହାସିକ ପଲଟନ ପଡ଼ିଆରେ ଆଗାମୀ ଦିନରେ ଲୋକମହୋତ୍ସବ ହେବାକୁ ଥିବାବେଳେ ବାଣପୁର ସହରର ମୁଖ୍ୟ ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପ୍ରଶାସନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ଆଗକୁ ପଞ୍ଚୁଦୋଳ ଥିବାବେଳେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଦୋଳ ଉତ୍ସବ କିପରି ଭାବରେ ସୁରୁଖୁରରେ ସମ୍ପନ୍ନ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଣପୁର ରାସ୍ତାର ସମସ୍ୟାକୁ ନେଇ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିବାବେଳେ ମଧ୍ୟ ଫଳ ଶୂନ୍ୟ ରହିଛି।
ରାଜଧାନୀର ଅନତି ଦୂରରେ ଅବସ୍ଥିତ ବାଣପୁର ସହରର ମୁଖ୍ୟ ରାସ୍ତାର ଅବସ୍ଥା ଏପରି ବିପର୍ଯ୍ୟସ୍ତ ରହିଥିବାବେଳେ, ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ଅଦିନିଆ ବର୍ଷା ଯୋଗୁଁ ଯଦି ସହରର ଏପରି ଅବସ୍ଥା ହେଉଛି, ତେବେ ଆଗାମୀ ବର୍ଷା ଦିନରେ ବାଣପୁର ସହରର ଅବସ୍ଥା କିପରି ହେବ, ତାହା ସହଜରେ ଅନୁମେୟ। ଡ୍ରେନେଜ୍ ସମସ୍ୟାକୁ ଯଥାସମ୍ଭବ ସମାଧାନ କରିବା ତଥା ବଜାର ଉପରେ ହେଉଥିବା ପାର୍କିଂକୁ ଉଠାଇ ଅନ୍ୟତ୍ର କେଉଁଠି କରିବା ବା ରାସ୍ତାକୁ ଚଉଡା କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।