କରୋନାକୁ ମାତ୍‌ ଦେଲେ କେରଳର ବୃଦ୍ଧ ଦମ୍ପତି

Published: Mar 31, 2020, 8:23 pm IST

କେରଳ : କେରଳର ବୃଦ୍ଧ ଦମ୍ପତି ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି । 93 ବର୍ଷୀୟ ବୃଦ୍ଧ ଏବଂ ତାଙ୍କ 80 ବର୍ଷୀୟା ବୃଦ୍ଧା ସ୍ତ୍ରୀ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଦୁହେଁ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ଇଟାଲୀ ଯାତ୍ରା କରି ଫେରିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ଏହି ଦମ୍ପତିଙ୍କ ପୂରା ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ସମେତ ପରିବାରର ଲୋକେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରିଛନ୍ତି ।

ଏହି ବୃଦ୍ଧ ଦମ୍ପତି ଡାଇବେଟିସ୍‌,ହାଇପରଟେନସନ୍, ବୟସାଧିକ୍ୟଜନିତ ରୋଗରେ ପୀଡ଼ିତ ରହିଥିଲେ ମଧ୍ୟ ଦୁହେଁ କରୋନାରୁ ବର୍ତ୍ତି ଯାଇଛନ୍ତି । ଏହି କରୋନା ମହାମାରୀ ବୃଦ୍ଧଙ୍କ ପାଇଁ ବିଶେଷ କ୍ଷତିକାରକ ହେଉଥିବାବେଳେ ଏହି ବୃଦ୍ଧ ଦମ୍ପତି କୋଟ୍ଟାୟମ୍‌ ମେଡିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଏହି ବୃଦ୍ଧ ଦମ୍ପତିକୁ ଦୁଇ ଭିନ୍ନ ଭିନ୍ନ ଆଇସିୟୁ ରୁମ୍‌ରେ ରଖାଯାଇଥିଲା ।  କିନ୍ତୁ ସେମାନେ ସେଠାରେ ଅସହଜ ମନେ କରିଥିଲେ । ଫଳରେ ଦୁହିଁଙ୍କୁ ଗୋଟିଏ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଦେଖିପାରୁଥିଲେ । ଦୁହେଁ ସୁସ୍ଥ ହେବା ପରେ ଘରକୁ ଯିବାକୁ ଜିଦ୍‌ ଧରିଥିଲେ । କିନ୍ତୁ ନର୍ସମାନେ ତାଙ୍କର ଦେଖାରେଖା କରୁଛନ୍ତି ।

ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ଭାରତରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଲାଣି । ସେହିପରି 32ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 140 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

 

Related posts