ମୁମ୍ବାଇର ପାଞ୍ଚୋଟି ଅଞ୍ଚଳକୁ ସିଲ୍‌ କଲା ପ୍ରଶାସନ

Published: Apr 1, 2020, 8:52 am IST

ମୁମ୍ବାଇ : କରୋନା ଭାଇରସ୍‌ର ବ୍ୟାପକ ପ୍ରସାର ଦେଖି ମୁମ୍ବାଇର ପାଞ୍ଚଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇଛି । ଏହି ଅଞ୍ଚଳଗୁଡିକ ମଧ୍ୟରେ ରହିଛି ରାଜାଜୀ ପଥ, ବାଲାଜୀ ଗାର୍ଡେନ୍‌, ଅରେ ଭିଲେଜ୍‌, ମହାତ୍ରେ ନଗର, ସହକାର ନଗର ପ୍ରମୁଖ ସାମିଳ୍‌ ରହିଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ବସ୍ତି ଅଞ୍ଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

କେଡିଏମ୍‌ସି ନଗର ନିଗମର ଆୟୁକ୍ତ ବିଜୟ ସୂର୍ଯ୍ୟବଂଶୀ ବୁଧବାର ଦିନ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିସ ଅପଲୋଡ୍‌ କରି ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ଡୋମ୍ବିମ୍ବଲୀର ପୂର୍ବ ଅଞ୍ଚଳରେ ପାଞ୍ଚ ଜଣ କରୋନା ପଜିଟିଭିଙ୍କ ସୂଚନା ମିଳିବା ପରେ ଏହି ଅଞ୍ଚଳକୁ ସିଲ୍‌ କରିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ଯିଏ ଏହି ନିୟମକୁ ଉଲ୍ଲଂଘନ କରିବା ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ସୂର୍ଯ୍ୟବଂଶୀ ସେଠାକାର ସାଧାରଣ ଜନତାଙ୍କୁ ଘରେ ରହିବାକୁ ଅପିଲ୍‌ କରିଛନ୍ତି । ସେହିପରି କିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରକାର ହେଲେ, ପ୍ରଶାସନ ତାଙ୍କ ଘରେ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ସୂ୍ର୍ଯ୍ୟବଂଶୀ ।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ରେ ବିଶେଷ ଭାବରେ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 300 ଡେଇଁଥିବାବେଳେ ସର୍ବାଧିକ 10 ଜଣଙ୍କର ଏଠାରେ ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts