ଏସିଆର ସର୍ବବୃହତ୍‌ ବସ୍ତି ‘ଧାରାବୀ’ରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ : ପ୍ରାୟ 15 ଲକ୍ଷ ଲୋକ ଏଠାରେ କରନ୍ତି ବସବାସ

Published: Apr 2, 2020, 9:02 am IST

ମୁମ୍ବାଇ : ଏସିଆର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧାରାବୀ ବସ୍ତି ଅଞ୍ଚଳରେ କରୋନା ପହଞ୍ଚିଛି । ଏହି ଅଞ୍ଚଳରେ ପ୍ରଥମ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରାୟ 15 ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଉଭୟ ଧନୀ ଓ ଗରିବ ରହିଛନ୍ତି । ଏହି ବସ୍ତିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ 56 ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ଏହା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାରର 8ରୁ10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଯେଉଁଠି ରହୁଥିଲେ, ସେହି ଜାଗାକୁ ସିଲ୍‌ କରିଦିଆଯାଇଛି ।

ଧାରାବୀ ବସ୍ତି ପ୍ରାୟ 613 ହେକ୍ଟର କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଧିକାଂଶ ଦିନ ମଜୁରିଆ ତଥା ଛୋଟ ମୋଟ କାର୍ଯ୍ୟ କରି ପେଟ ପୋଷୁଥିବା ଲୋକେ ବସବାସ କରିଥାନ୍ତି । ଧାରାବୀକୁ ମୁମ୍ବାଇର ଅପରାଧର କେନ୍ଦ୍ର ବୋଲି  କୁହାଯାଏ । ଏହି ବସ୍ତିରେ ଗ୍ୟାଙ୍ଗଓ୍ବାର, ଭାଇଗିରିର ବିଶାଳକାୟ ଗଳି  ଦେଖିବାକୁ ମିଳେ ।

1862 ମସିହାରେ ବ୍ରିଟିଶ୍‌ ଶାସନ କାଳରେ ନିଜ ଭବନ ନିର୍ମାଣ କରିବା ପାଇଁ ଏଠାରେ ଦିନ ମଜୁରିଆଙ୍କୁ ବସା ଯାଇଥିଲା । ସେବେଠାରୁ ଏହି ଗଳି ଦିନମଜୁରିଆଙ୍କ ପରିଚୟ ସ୍ଥଳୀ ପାଲଟି ଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ବଢି ଚାଲିଛି । ବୁଧବାର ଦିନ ରାଜ୍ୟରେ ନୂତନ 18ଟି ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ସିଏସ୍‌ଟି ରେଲଓ୍ବେ ପୋଲିସ୍‌ ଷ୍ଟେସନର ଜଣେ କନଷ୍ଟେବଳ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 335ରେ ପହଞ୍ଚିଲାଣି ।

ଦେଶରେ ଏପର୍ଯ୍ୟନ୍ତ 1900ରୁ ଅଧିକ ଲୋକେ କରୋନା ଯୋଗୁଁ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 40 ଟପି ସାରିଛି ।  ସେହିପରି ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷରେ ପହଞ୍ଚିଥିବାବେଳେ 42 ହଜାରୁରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts