ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା 19 ତମ ସ୍ଥାନରେ ରହିଛି : ସୁବ୍ରତ ବାଗ୍‌ଚୀ

Published: Apr 6, 2020, 6:06 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି କରୋନା ଅପଡେଟ୍‌କୁ ନେଇ କରୋନା-19ର ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ୍‌ 1888ଟି ସାମ୍ପଲ୍‌ ଟେଷ୍ଟ ହୋଇଛି । ସେଥିରୁ 39ଟି ପଜିଟିଭି ବାହାରିଛନ୍ତି । ଭୁବନେଶ୍ବରରେ ସର୍ବାଧିକ 31 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୁବ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ କରୋନା ଟେଷ୍ଟ୍‌ । କରୋନା ଟେଷ୍ଟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି । ଉଭୟରେ କରୋନା ଟେଷ୍ଟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଦୈନିକ 300 ସାମ୍ପଲ ପରୀକ୍ଷା କରାଯାଉଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି । ପାଞ୍ଚ ଦିନ ମଧ୍ୟରେ ଦୈନିକ 1 ହଜାର ସାମ୍ପଲ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି ।

କରୋନା ଆକ୍ରାନ୍ତ ତଥ୍ୟ ଦେଇ ସୁବ୍ରତ୍‌ ବାଗଚୀ କହିଛନ୍ତି ଯେ, ବିଶ୍ବରେ ଏଯାବତ୍‌ 12 ଲକ୍ଷ 76 ହଜାର 732 ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ତାଲିକାରେ 28ତମ ସ୍ଥାନରେ ଭାରତ ରହିଛି । ସେହିପରି ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା 19 ତମ ସ୍ଥାନରେ ରହିଛି ।

ସେହିପରି ଆଜିଠାରୁ ବଜାରକୁ ସମ୍ପୂର୍ଣ୍ଣ ରୂପେ ଗାଡି ବାରଣ କରାଯିବ ।  ଲକ୍‌ଡାଉନ୍ ପିରିୟଡ଼ରେ ହୋଲସେଲ ମାର୍କେଟକୁ ଯାଇପାରିବେନି ସାଧାରଣ ଲୋକେ। ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ ଯାଆନ୍ତି, ସେମାନେ ଘର ପାଖ ବଜାରକୁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସରକାର।  କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଆଜି ଏହି ସୂଚନା ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

ଲକ୍ ଡାଉନ୍ ନିୟମ ଭାଙ୍ଗି 24 ଘଣ୍ଟାରେ 427 ଜଣ ଗିରଫ ହୋଇଥିବାର କହିଛନ୍ତି ବାଗ୍‌ଚୀ । ଗତ 24 ଘଣ୍ଟା ମଧ୍ୟରେ ମୋଟ 249ଟି ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ଭଙ୍ଗ ପାଇଁ 233ଟି ମାମଲା ରୁଜୁ ହୋଇଥିବାବେଳେ ଗୁଜବ ସୃଷ୍ଟି ପାଇଁ ତିନୋଟି ମାମଲା ରୁଜୁ କରାଯାଇଛି । ସାମାଜିକ ଦୂରତ୍ବ ନିୟମ ଭାଙ୍ଗି ଭଦ୍ରକରେ 19 ଦୋକାନୀ ଗିରଫ ।

ପରିଶେଷରେ କରୋନାଠାରୁ ବିଜୟୀ ହେବା ପାଇଁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ନିୟମକୁ ମାନିବା ସହିତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗ୍‌ଚୀ ।

Related posts