
ଶ୍ରୀନଗର : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ 17 କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 224ରେ ପହଞ୍ଚିଛି । (ଏଜେନ୍ସି)