କଂଗ୍ରେସ ସହ ଗଠବନ୍ଧନ ନୋହିଲା : ଦିଲ୍ଲୀରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍‌

Published: Mar 2, 2019, 3:41 pm IST

ଆମ୍‌ଆଦ୍‌ମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ହେବାକୁ ଥିବା ମହାଗଠବନ୍ଧନକୁ ଶେଷରେ ନା କଲେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀୱାଲ । ବିଗତ କିଛିଦିନ ଧରି ଦିଲ୍ଲୀଠାରେ କଂଗ୍ରେସ ଓ ଆପ୍‌ ଆସନ ବୁଝାମଣା କରିବା ନେଇ ଚର୍ଚ୍ଚା ଲାଗିରହିଥିଲା । ଏନେଇ ରାହୁଲ୍‌ ଗାନ୍ଧି ମଧ୍ୟ କଥାବାର୍ତ୍ତା କରିସାରିଥିଲେ । କିନ୍ତୁ ଶେଷରେ ଦିଲ୍ଲୀ ଲୋକସଭା ଆସନ ପାଇଁ ଆପ୍‌ ଏକାକୀ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଛି ।  ଏନେଇ ଆପ୍‌ ମୁଖ୍ୟ ଦିଲ୍ଲୀର ଲୋକସଭାର ୬ଟି ଆସନ ପାଇଁ  ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରି ସାରିଛନ୍ତି । ଘୋଷଣା ଅନୁସାରେ ଚାନ୍ଦିନୀ ଚୌକ୍‌ ଲୋକସଭା ଆସନ ପାଇଁ ପଂକଜ ଗୁପ୍ତା, ଉତ୍ତର ପର୍ବ ଦିଲ୍ଲୀ ପାଇଁ ଦିଲ୍ଲୀପ ପାଣ୍ଡେ, ପୂର୍ବ ଦିଲ୍ଲୀ ପାଇଁ ଆତିଶୀ, ଦକ୍ଷିଣ ଦିଲ୍ଲୀ ପାଇଁ ରାଘବ ଚଢା, ଉତ୍ତର ପଶ୍ଚିମ ଦିଲ୍ଲୀ ପାଇଁ ଗୁଗ୍ଗନ୍‌ ସିଂ, ନୟୀ ଦିଲ୍ଲୀ ପାଇଁ ବୃଜେଶ ଗୋୟଲ୍‌  ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି ।  ତେବେ ପଶ୍ଚିମ ଦିଲ୍ଲୀ ପାଇଁ କିଏ ପ୍ରାର୍ଥୀ ହେବେ ଏନେଇ ନାମ ଚୂଡ଼ାନ୍ତ ହୋଇନାହିଁ । ଏଇ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ବହୁତ ଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ରହିଛି । ୨୦୧୯ ଲୋକସଭା ଆସନ ପାଇଁ କଂଗ୍ରେସ ସହ ମହାଗଠବନ୍ଧନ କରିବାକୁ ଅରବିନ୍ଦ କେଜ୍‌ରୀୱାଲ ଶୁକ୍ରବାର ଦିନ ଶୀଲା ଦୀକ୍ଷିତ୍‌ଙ୍କ ସହ ବୈଠକ କରିଥିଲେ । କିନ୍ତୁ ଆପ୍‌ ମୁଖ୍ୟ ଅରବିନ୍ଦଙ୍କ ମତରେ ଏହି ମହାଗଠନବନ୍ଧନକୁ କଂଗ୍ରେସ ଗ୍ରହଣ କରିନଥିଲା, ଯାହା ଫଳରେ ୨୦୧୯ ନିର୍ବାଚନ ରଣାଙ୍ଗନାଙ୍କୁ ଆପ୍‌ ଏକାକୀ ଲଢିବା ପାଇଁ ଓହ୍ଲାଇଛି ।

 

Related posts