
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1749 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 437 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ 24 ଘଣ୍ଟା ମଧ୍ୟରେ 29ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଙ୍କ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । 19ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଙ୍କ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି 6.2 ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ 19ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ଭାରତରେ 13.06 ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1919ଟି କୋଭିଡ୍ -19 ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିବା ବେଳେ 1ଲକ୍ଷ 73 ହଜାର ଆଇସୋଲେସନ୍ ଶଯ୍ୟାର ବ୍ୟବସ୍ଥା ରହିଛି ।