ଅଣ୍ଡା ଆଣିବାକୁ ବାହାରକୁ ଯାଇ 2500 ଟଙ୍କାର ଜରିମାନା ଦେଲେ

Published: Apr 18, 2020, 11:12 am IST

ନୂଆଦିଲ୍ଲୀ: କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି। ଏପ୍ରିଲ୍‌ 15 ତାରିଖରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଛି। ଲକ୍‌ ଡାଉନ୍‌ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଉପଦେଶ ଦିଆଯାଇଛି। ବାହାର ନ ବୁଲି ଘରେ ରହି ସତର୍କ ରହିବା ସହ ସଚେତନତ ରହିବାକୁ ସରକାର ଅପିଲ୍‌ କରିଛନ୍ତି। କିନ୍ତୁ କିଛି ଲୋକେ ଘରକୁ ଜେଲ୍‌ ବୋଲି ଭାବି ବିଭିନ୍ନ ଫନ୍ଦି ଫିକର କରି ବାହାରକୁ ଯାଉଛନ୍ତି।

ପୋଲିସ୍‌ ମଧ୍ୟ ଏପରି ଲୋକଙ୍କୁ ପ୍ରତି ବେଶ୍‌ ଶକ୍ତ ହୋଇଛି। ଭିନ୍ନ ଭିନ୍ନ ବାହାନା କରି ଘରୁ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଛି। ଶୁକ୍ରବାର ଦିନ ଦିଲ୍ଲୀ ପୋଲି୍ସ୍‌ ଏମିତି କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରିଛି।

ମିଳିଥିବା ସୂଚନା ଅନୁସାରେ ହରିପର୍ବତ ଚୌରାହା ନିକଟରେ ପୋଲିସ୍‌ ଚେକିଂ ଅଭିଯାନ ଚଳାଇଥିଲା। ଏହି ଅବସରେ ବହୁ ଗାଡିକୁ ଅଟକ ରଖିବା ସହିତ ଜରିମାନା ଆଦାୟ କରିଛି। ଏହି ସମୟରେ ଜଣେ ବ୍ୟକ୍ତି କାର୍‌ ଚଳାଉଥିଲେ। ସେ ଅଣ୍ଡା ପାଇଁ ବାହାରକୁ ଆସିଛନ୍ତି ବୋଲି ଉତ୍ତର ଦେଇଥିଲେ। ବିନା ମାସ୍କରେ ବ୍ୟକ୍ତି  ଜଣକ କାର୍‌ ଚଳାଉଥିବାବେଳେ ପୋଲିସ୍‌ ଅଟକ ରଖିଥିଲା। ବ୍ୟକ୍ତି ଜଣକ ଅଣ୍ଡା ଆଣିବା ପାଇଁ ଆସିଛନ୍ତି ବୋଲି ଉତ୍ତର ଦେଇଥିଲେ। ତେବେ ପୋଲିସ୍‌ କହିଥିଲେ ଯେତେବେଳେ ଦୋକାନ ଖୋଲା ହୋଇନାହିଁ ଅଣ୍ଡା ପାଇଁ ବାହାରକୁ ଆସିଥିଲେ କ’ଣ ପାଇଁ। ଏହା କହି ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ 2500ଟଙ୍କାର ଚାଲାଣ କାଟି ଘରୁ ଯିବାକୁ ଉପଦେଶ ଦେଇଛନ୍ତି। ସେହିପରି କେହି କେହି କୁଲର୍‌ ପାଇଁ ଘାସ ଆଣିବାର ବାହାନା କରି ରାସ୍ତାକୁ ଆସିଥିବାବେଳେ ପୋଲିସ୍‌ ଜରିମାନା ଆଦାୟ କରି ଘରକୁ ଯିବାକୁ ଉପଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତ ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳକୁ ହଟସ୍ପଟ୍‌ ଅଞ୍ଚଳ ଭାବେ ବିବେଚନା କରାଯାଇଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ କିଛି ଲୋକମାନେ ଏହାକୁ ମାନୁନଥିବାର ଦେଖାଯାଉଛି। (ଏଜେନ୍ସି)

Related posts