ନୂଆଦିଲ୍ଲୀ : ସରକାର କୋଭିଡ୍-19 ମହାମାରୀ ମଧ୍ୟରେ ଏଫ୍ଡିଆଇ ନୀତିକୁ ସଂଶୋଧନ କରିଛି ଭାରତ । ଏଣିକି ସବୁ ପଡୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଆଜି ଭାରତ ପକ୍ଷରୁ ସଂଶୋଧିତ ଏଫ୍ଆଇଡି ନୀତି ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ। ଭାରତ ସହିତ ଭୂମି ସୀମା ବାଣ୍ଟୁଥିବା ଦେଶଗୁଡିକ ମଧ୍ୟରେ ଚୀନ୍, ବାଂଲାଦେଶ, ପାକିସ୍ଥାନ, ଭୁଟାନ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନ ଆଦି ସାମିଲ୍ ରହିଛନ୍ତି । ଏହି ସମସ୍ତ ରାଷ୍ଟ୍ର ପାଇଁ ଏହି ନିୟମ ଲାଗୁ କରାଯାଇଛି । ପୂର୍ବରୁ ପାକିସ୍ତାନ ନିବେଶକଙ୍କ ଉପରେ ଏହି ନିୟମ ଲାଗୁ କରାଯାଇଥିଲା ।
ପୂର୍ବରୁ ଦୁଇଟି ପ୍ରକ୍ରିୟାରେ ଭାରତରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯାଉଥିଲା। ଗୋଟିଏ ପ୍ରକ୍ରିୟାରେ ସରକାରୀ ଅନୁମତି ନେବାକୁ ପଡୁଥିବା ବେଳେ ଅନ୍ୟ ପ୍ରକ୍ରିୟାରେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ନଥିଲା। ନୂତନ ବିଦେଶୀ ପୁଞ୍ଜି ନିବେଶ ନୀତି ପରେ ସରକାରୀ ଅନୁମତି ନେବା ଆବଶ୍ୟକ ହୋଇଛି।
ଏଫ୍ଡିଆଇ ନିୟମରେ ପରିବର୍ତ୍ତନ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଛି ଦିନ ପୂର୍ବରୁ ଏଫ୍ଡିଆ ନିୟମରେ ପରିବର୍ତ୍ତନ ପାଇଁ ସୁପାରିଶ୍ କରିଥିଲେ । ରାହୁଲ୍ ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାର ମୋ’ ପ୍ରସ୍ତାବର ଗୁରୁତ୍ବକୁ ବୁଝି ଗ୍ରହଣ କରିଛନ୍ତି ।
ଏହାପୂର୍ବରୁ ରାହୁଲ୍ ଟ୍ୱିଟ କରି କହିଥିଲେ ଯେ ଦେଶରେ ଅର୍ଥନୈତିକ ମନ୍ଥରତା ହେତୁ ଭାରତୀୟ କର୍ପୋରେଟ କମ୍ପାନୀଗୁଡିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛନ୍ତି ଏବଂ ଏହାକୁ ନେଇ ଅନ୍ୟ ଦେଶକୁ ଟାର୍ଗେଟ କରୁଛନ୍ତି। ଏହି ସଙ୍କଟରେ କୌଣସି ବିଦେଶୀ କମ୍ପାନୀ ଏକ ଭାରତୀୟ କମ୍ପାନୀ ଦଖଲ କରିବାକୁ ସରକାର ଅନୁମତି ଦେବା ଉଚିତ୍ ନୁହେଁ । ଏନେଇ ସରକାର ନିଷ୍ପତ୍ତି ନେବା ଦରକାର ବୋଲି କହିଥିଲେ ରାହୁଲ୍ । (ଏଜେନ୍ସି)