Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଗତ ବର୍ଷ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ

ନୂଆଦିଲ୍ଲୀ, ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୪ ଲକ୍ଷ ୭୪ ହଜାର ୪୪ କୋଟି ଟଙ୍କା ହେବ। ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ବିନିଯୋଗକାରୀ ଦେଶ ହୋଇପାରିଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏଫଡିଆଇ ୨୭% ବୃଦ୍ଧି ହୋଇ ଗତ ବର୍ଷ ୬୪ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ୨୦୧୯ ରେ ୫୧ ବିଲିୟନ ଡ଼ଲାର ରହିଥିଲା। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଅଧିଗ୍ରହଣ ହେତୁ ଏହି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗରେ ରେକର୍ଡ ସୃଷ୍ଟି କରିଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗ ଦ୍ୱାରା ଦେଶର ସାମଗ୍ରିକ ଅର୍ଥନୈତିକ କାର‌୍ୟ୍ୟକଳାପ ପ୍ରଭାବିତ ହୋଇଥିଲା, କିନ୍ତୁ ଅର୍ଥନୀତିର ଦୃଢ ମୂଳଦୁଆ ସହିତ ମଧ୍ୟମ ଅବଧିରେ ଆର୍ଥିକ ଦୃଷ୍ଟିକୋଣ ଭଲ ରହିଛି।

Categories
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରତିରକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 70 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ ପ୍ରେସ୍‌ ମିଟ୍‌ କରିଥିଲେ। ଚତୁର୍ଥ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ସୀତାରମଣ ସୂଚନା ଦେଇଥିଲେ। ଭାରତରେ ଏଫ୍‌ଡିଆଇ ଆଗମନରେ ବୃଦ୍ଧି ଘଟାଇବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୀତାରମଣ ଘୋଷଣା କରିଥିଲେ। ଭାରତକୁ ନିଜର ବ୍ୟବସାୟିକ ନୀତିରେ ପରିବର୍ତ୍ତନ କରିବାକୁ ପଡିବ ଯାହାଦ୍ବାରା ଭାରତ ଏଫ୍‌ଡିଆଇକୁ ଆକର୍ଷିତ କରିବ। ସେହିପରି ବୈଷୟିକ କୌଶଳ ଦ୍ବାରା ରାଜ୍ୟ ମାନଙ୍କର ନିବେଶ ଯୋଜନାର ରାଙ୍କିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି। ଦେଶରେ 3376ଟି ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ଏସ୍‌ଇଜେଡ୍ ରହିଥିବା ବେଳେ ଏହା 5 ଲକ୍ଷ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଜିଆଇଏସ୍‌ ମ୍ୟାପିଂ ଦ୍ବାରା ବିଭିନ୍ନ ନିବେଶକଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଚତୁର୍ଥ ଦିନରେ କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦ, ବିମାନ ବନ୍ଦର, ବିତରଣ କମ୍ପାନୀ, ମହାକାଶ ବିଜ୍ଞାନ କ୍ଷେତ୍ରରେ ନିବେଶ ସମ୍ପର୍କରେ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ସୀତାରମଣ।

କୋଇଲା ଉତ୍ପାଦନରେ ବ୍ୟବସାୟିକ ଖଣିଖାଦାନ ଉତ୍ପାଦନ କରାଯିବାର ନିଷ୍ପତ୍ତି ନେଇଛନ୍ତି ସରକାର। କୋଇଲା ଖଣି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ସରକାର 50 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଗାମୀ ଦିନରେ 50ରୁ ଅଧିକ ନୂତନ କୋଇଲା ବ୍ଲକ୍‌ର ନିଲାମୀ କରାଯିବ ଏବଂ ଅର୍ଦ୍ଧଖନନ କୋଇଲା ବ୍ଲକ୍‌ଗୁଡିକର ପୁନଃନିଲାମୀ କରାଯିବ। ଏହି ପ୍ରକ୍ରିୟାର ସରଳୀକରଣ କରାଯିବା ସହିତ ନିଲାମୀ ପାଇଁ ଆଗୁଆ ଅର୍ଥ ପୈଠ କରିବାକୁ ପଡିବ ନାହିଁ ବୋଲି ଜଣାପଡିଛି। ନିଜ ଖନନ ସମୟରୁ କମ୍‌ ସମୟରେ ଖନନ ସାରିଲେ କମ୍ପାନୀକୁ ଇନ୍‌ସେଣ୍ଟିଭ୍‌ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି କୋଲ୍‌ ଇଣ୍ଡିଆର ଖଣି ଗୁଡିକୁ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଇଲା ପରିବହନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କୋଇଲା ଖଣି ଉପରେ ରହିଥିବା ସରକାରଙ୍କ ଏକଚାଟିଆ ଅଧିକାର ସମାପ୍ତ ହେବ।

ନିଲାମୀ ସମୟରେ ପରସ୍ପର ପରିପୂରକ ଦୁଇଟି ଖଣିଜ ପଦାର୍ଥର ନିଲାମୀ ଏକତ୍ର କରାଯିବ ବୋଲି କୁହାଯାଇଛି। ବିଭିନ୍ନ ଖଣିରେ ରହିଥିବା ଅବ୍ୟବହୃତ ଖଣିଜ ଦ୍ରବ୍ୟକୁ ଅନ୍ୟ କମ୍ପାନୀ ବ୍ୟବହାର କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ଖଣିରୁ ଉତ୍ପାଦିତ ସାମଗ୍ରୀର ପରିବହନ ପାଇଁ କନ୍‌ଭେୟର ମଧ୍ୟ ନିର୍ମାଣ କରାଯିବ। କୋଇଲା ଖଣିଜ ପଦାର୍ଥର ବିକାଶ ପାଇଁ ସରକାରଙ୍କ ପକ୍ଷରୁ 18 ହଜାର କୋଟିର ଘୋଷଣା କରାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ 49 ରୁ 74 ପ୍ରତିଶ୍ରତକୁ ବୃଦ୍ଧି କରାଯାଇଛି। ଘରୋଇ ଭାବରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ସହିତ ଆଗାମୀ ଦିନରେ ଭାରତରେ ପ୍ରତିରକ୍ଷା ପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯିବ। ଅସ୍ତ୍ରଶସ୍ତ୍ର ନିର୍ମାଣରେ କର୍ପୋରେଟାଇଜେସନ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ଦ୍ବାରା ଅସ୍ତ୍ରଶସ୍ତ୍ର ନିର୍ମାଣ ସୁଗମ ହୋଇପାରିବ ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନ ମଧ୍ୟ ରହିବ। ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଦ୍ବାରା ଭାରତର ବିଦେଶୀ ଅସ୍ତ୍ରଶସ୍ତ୍ର କିଣିବା ବଜେଟ୍‌ରେ ହ୍ରାସ ଘଟିବ ଏବଂ ଅର୍ଥ ଭାରତୀୟ ନିର୍ମାଣକାରୀଙ୍କ ନିକଟରେ ରହିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବେସାମରିକ ବିମାନ ଚଳାଚଳ ପାଇଁ 60 ପ୍ରତିଶତ ଏୟାର ସ୍ପେସ୍‌କୁ ପୁନଃବ୍ୟବସ୍ଥିତ କରାଯିବ ଯାହାଦ୍ବାରା ସମସ୍ତ ବିମାନ କମ୍‌ ଦୂରତ୍ବ ରାସ୍ତା ଆପଣେଇବେ। ଏହାଦ୍ବାରା ଯାତ୍ରୀଙ୍କ ସମୟ ଏବଂ ବିମାନ ଇନ୍ଧନ ବଞ୍ଚିବ। ଏହାଦ୍ବାରା ପ୍ରାୟ 1 ହଜାର କୋଟି ଟଙ୍କାର ଫଇଦା ହେବ ଏବଂ ପ୍ରଦୂଷଣ ମଧ୍ୟ କମ୍‌ରହିବ। ସେହିପରି 6ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଅନ୍ୟକମ୍ପାନୀକୁ ହସ୍ତାନ୍ତର କରିବ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ। ଏଥିରୁ 2300 କୋଟିର ଫାଇଦା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନ ଇଞ୍ଜିନ୍‌ ମରାମତି କେନ୍ଦ୍ର ଭାରତରେ ନିର୍ମାଣ କରାଯିବ। ଏହା ଫଳରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ କମ୍ପାନୀ ଗୁଡିକ ଏହାଦ୍ବାରା ଲାଭବାନ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ଏଫ୍‌ଡିଆଇ ନିୟମରେ ସଂଶୋଧନ କଲା ଭାରତ, ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ରାହୁଲ୍‌

ନୂଆଦିଲ୍ଲୀ : ସରକାର କୋଭିଡ୍‌-19 ମହାମାରୀ ମଧ୍ୟରେ ଏଫ୍‌ଡିଆଇ ନୀତିକୁ ସଂଶୋଧନ କରିଛି ଭାରତ । ଏଣିକି ସବୁ ପଡୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଆଜି ଭାରତ ପକ୍ଷରୁ ସଂଶୋଧିତ ଏଫ୍‌ଆଇଡି ନୀତି ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ।  ଭାରତ ସହିତ ଭୂମି ସୀମା ବାଣ୍ଟୁଥିବା ଦେଶଗୁଡିକ ମଧ୍ୟରେ ଚୀନ୍, ବାଂଲାଦେଶ, ପାକିସ୍ଥାନ, ଭୁଟାନ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନ ଆଦି ସାମିଲ୍‌ ରହିଛନ୍ତି ।  ଏହି ସମସ୍ତ ରାଷ୍ଟ୍ର ପାଇଁ ଏହି ନିୟମ ଲାଗୁ କରାଯାଇଛି । ପୂର୍ବରୁ ପାକିସ୍ତାନ ନିବେଶକଙ୍କ ଉପରେ ଏହି ନିୟମ ଲାଗୁ କରାଯାଇଥିଲା ।

ପୂର୍ବରୁ ଦୁଇଟି ପ୍ରକ୍ରିୟାରେ ଭାରତରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯାଉଥିଲା। ଗୋଟିଏ ପ୍ରକ୍ରିୟାରେ ସରକାରୀ ଅନୁମତି ନେବାକୁ ପଡୁଥିବା ବେଳେ ଅନ୍ୟ ପ୍ରକ୍ରିୟାରେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ନଥିଲା। ନୂତନ ବିଦେଶୀ ପୁଞ୍ଜି ନିବେଶ ନୀତି ପରେ ସରକାରୀ ଅନୁମତି ନେବା ଆବଶ୍ୟକ ହୋଇଛି।

ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଛି ଦିନ ପୂର୍ବରୁ ଏଫ୍‌ଡିଆ ନିୟମରେ ପରିବର୍ତ୍ତନ ପାଇଁ ସୁପାରିଶ୍‌ କରିଥିଲେ ।  ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର ମୋ’ ପ୍ରସ୍ତାବର ଗୁରୁତ୍ବକୁ ବୁଝି ଗ୍ରହଣ କରିଛନ୍ତି ।

ଏହାପୂର୍ବରୁ ରାହୁଲ୍‌ ଟ୍ୱିଟ କରି କହିଥିଲେ  ଯେ ଦେଶରେ ଅର୍ଥନୈତିକ ମନ୍ଥରତା ହେତୁ ଭାରତୀୟ କର୍ପୋରେଟ କମ୍ପାନୀଗୁଡିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛନ୍ତି ଏବଂ ଏହାକୁ ନେଇ ଅନ୍ୟ ଦେଶକୁ ଟାର୍ଗେଟ କରୁଛନ୍ତି। ଏହି ସଙ୍କଟରେ କୌଣସି ବିଦେଶୀ କମ୍ପାନୀ ଏକ ଭାରତୀୟ କମ୍ପାନୀ ଦଖଲ କରିବାକୁ ସରକାର ଅନୁମତି ଦେବା ଉଚିତ୍ ନୁହେଁ । ଏନେଇ ସରକାର ନିଷ୍ପତ୍ତି ନେବା ଦରକାର ବୋଲି କହିଥିଲେ ରାହୁଲ୍‌ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନୁରାଗ ଠାକୁର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍‌ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।