Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍‌କୀ ବାତ୍ କାର‌୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍‌କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର‌୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ ଆଗ୍ରହର ସହିତ ଅଂଶଗ୍ରହଣ କରିଛନ୍ତି।

ଏଥିରେ ସ୍ଥାନ ପାଇଥିବା ପ୍ରାୟ ଦୁଇ ତୃତୀୟାଂଶ ଆପ୍ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରସ୍ତୁତ ହୋଇଛି । ବିଭିନ୍ନ ବର୍ଗରେ ପ୍ରାୟ ଦୁଇ ଡଜନ ଆପ୍‌କୁ ପୁରସ୍କୃତ କରାଯାଇଛି। ଶ୍ରୋତାମାନେ ଏସବୁ ଆପ୍ ସହିତ ପରିଚିତ ହେବା ସହ ସେଥିସହ ସଂଯୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏଭଳି କେତେକ ଆପ୍ ସଂପର୍କରେ ଆଲୋଚନା କରିଥିଲେ ଯେଉଁଥିରେ କୁଟୁକୀ କିଟ୍ସ ଲର୍ଣ୍ଣିଂ ଆପ୍‌, ଶିଶୁମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ ଆପ୍‌, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ପାଇଁ ଉଦ୍ଦିଷ୍ଟ ଏକ ଆପ୍ କୁ କୂ କୁ, ଯୁବସମାଜ ପାଇଁ ଚିଙ୍ଗାରି ଆପ୍‌, ସରକାରୀ କାର‌୍ୟ୍ୟକ୍ରମ ସଂପର୍କରେ ସୂଚନା ପାଇବା ପାଇଁ ଉଦ୍ଦିଷ୍ଟ ‘ଆସ୍କ ସରକାର’ ଆପ୍ ଏବଂ ଫିଟିନେସ ଆପ୍‌- ଷ୍ଟେପ୍ ସେଟ୍ ଗୋ ଆଦି ଅନ୍ୟତମ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏସବୁ ଛୋଟ ଛୋଟ ଷ୍ଟାର୍ଟଆପ୍ ଆସନ୍ତାକାଲି ବଡ ବଡ କଂପାନୀରେ ପରିଣତ ହେବ ଏବଂ ଏହା ବିଶ୍ୱରେ ଭାରତରେ ପ୍ରତୀକ ପାଲଟିବ। ଆମେ ଭୁଲିଯିବା ଅନୁଚିତ ଯେ ବିଶ୍ୱର ଯେଉଁ ବଡ ବଡ କଂପାନୀ ଏବେ ଅଛନ୍ତି ସେମାନେ ଏକଦା ଏଭଳି ଛୋଟ ଛୋଟ ଆପ୍ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପଞ୍ଚମ ଦିନର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ : ଜନଧନ ଆକାଉଣ୍ଟକୁ ପଠାଯାଇଛି 10 ହଜାର କୋଟି

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ 7.35 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ 5.94 ଲକ୍ଷ କୋଟି, ତୃତୀୟ ଦିନରେ 3.16 ଲକ୍ଷ କୋଟି ଏବଂ ଚତୁର୍ଥ ଦିନର ପ୍ୟାକେଜ୍‌ରେ 1.63 ଲକ୍ଷ କୋଟିର ଘୋଷଣା କରାଯାଇଥିଲା । ଅନ୍ତିମ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୀତାରମଣ ବର୍ଣ୍ଣନା କରିଥିଲେ । ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଜନଧନ ଆକାଉଣ୍ଟକୁ 10225 କୋଟି ଟଙ୍କା ସିଧାସଳଖ ପଠାଯାଇଛି । ତିନି ମାସର ମାଗଣା ରାସନ ଏବଂ ଗ୍ୟାସ୍‌ ପ୍ରଦାନ କରାଯିବା ସହିତ ପ୍ରବାସୀ ଶ୍ରମିକଙ୍କୁ ନେବାରେ 85 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଉଜ୍ଜଳା ଯୋଜନାରେ 8429 କୋଟି ଟଙ୍କାର ଫାଇଦା ପ୍ରଦାନ କରାଯାଇଥିବା ବେଳେ କୃଷି ପାଇଁ 8.79 କୋଟି କୃଷକଙ୍କ ଆକାଉଣ୍ଟକୁ 16394 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି 2.81 ବିଧବା ଏବଂ ଦିବ୍ୟାଙ୍ଗଙ୍କ ଆକାଉଣ୍ଟକୁ 2860 କୋଟି ଟଙ୍କା ପଠାଯାଇଥିବା ଜଣାପଡିଛି । (ଏଜେନ୍ସି)

Categories
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରତିରକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 70 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଯୋଜନାରେ 20 ଲକ୍ଷ କୋଟି ଟଙ୍କାର ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ଚତୁର୍ଥ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥକ ସଚିବ ପ୍ରେସ୍‌ ମିଟ୍‌ କରିଥିଲେ। ଚତୁର୍ଥ ଦିନରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ସୀତାରମଣ ସୂଚନା ଦେଇଥିଲେ। ଭାରତରେ ଏଫ୍‌ଡିଆଇ ଆଗମନରେ ବୃଦ୍ଧି ଘଟାଇବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୀତାରମଣ ଘୋଷଣା କରିଥିଲେ। ଭାରତକୁ ନିଜର ବ୍ୟବସାୟିକ ନୀତିରେ ପରିବର୍ତ୍ତନ କରିବାକୁ ପଡିବ ଯାହାଦ୍ବାରା ଭାରତ ଏଫ୍‌ଡିଆଇକୁ ଆକର୍ଷିତ କରିବ। ସେହିପରି ବୈଷୟିକ କୌଶଳ ଦ୍ବାରା ରାଜ୍ୟ ମାନଙ୍କର ନିବେଶ ଯୋଜନାର ରାଙ୍କିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି। ଦେଶରେ 3376ଟି ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ଏସ୍‌ଇଜେଡ୍ ରହିଥିବା ବେଳେ ଏହା 5 ଲକ୍ଷ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଜିଆଇଏସ୍‌ ମ୍ୟାପିଂ ଦ୍ବାରା ବିଭିନ୍ନ ନିବେଶକଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଚତୁର୍ଥ ଦିନରେ କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦ, ବିମାନ ବନ୍ଦର, ବିତରଣ କମ୍ପାନୀ, ମହାକାଶ ବିଜ୍ଞାନ କ୍ଷେତ୍ରରେ ନିବେଶ ସମ୍ପର୍କରେ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ସୀତାରମଣ।

କୋଇଲା ଉତ୍ପାଦନରେ ବ୍ୟବସାୟିକ ଖଣିଖାଦାନ ଉତ୍ପାଦନ କରାଯିବାର ନିଷ୍ପତ୍ତି ନେଇଛନ୍ତି ସରକାର। କୋଇଲା ଖଣି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ସରକାର 50 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଗାମୀ ଦିନରେ 50ରୁ ଅଧିକ ନୂତନ କୋଇଲା ବ୍ଲକ୍‌ର ନିଲାମୀ କରାଯିବ ଏବଂ ଅର୍ଦ୍ଧଖନନ କୋଇଲା ବ୍ଲକ୍‌ଗୁଡିକର ପୁନଃନିଲାମୀ କରାଯିବ। ଏହି ପ୍ରକ୍ରିୟାର ସରଳୀକରଣ କରାଯିବା ସହିତ ନିଲାମୀ ପାଇଁ ଆଗୁଆ ଅର୍ଥ ପୈଠ କରିବାକୁ ପଡିବ ନାହିଁ ବୋଲି ଜଣାପଡିଛି। ନିଜ ଖନନ ସମୟରୁ କମ୍‌ ସମୟରେ ଖନନ ସାରିଲେ କମ୍ପାନୀକୁ ଇନ୍‌ସେଣ୍ଟିଭ୍‌ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି କୋଲ୍‌ ଇଣ୍ଡିଆର ଖଣି ଗୁଡିକୁ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଇଲା ପରିବହନ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କୋଇଲା ଖଣି ଉପରେ ରହିଥିବା ସରକାରଙ୍କ ଏକଚାଟିଆ ଅଧିକାର ସମାପ୍ତ ହେବ।

ନିଲାମୀ ସମୟରେ ପରସ୍ପର ପରିପୂରକ ଦୁଇଟି ଖଣିଜ ପଦାର୍ଥର ନିଲାମୀ ଏକତ୍ର କରାଯିବ ବୋଲି କୁହାଯାଇଛି। ବିଭିନ୍ନ ଖଣିରେ ରହିଥିବା ଅବ୍ୟବହୃତ ଖଣିଜ ଦ୍ରବ୍ୟକୁ ଅନ୍ୟ କମ୍ପାନୀ ବ୍ୟବହାର କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ଖଣିରୁ ଉତ୍ପାଦିତ ସାମଗ୍ରୀର ପରିବହନ ପାଇଁ କନ୍‌ଭେୟର ମଧ୍ୟ ନିର୍ମାଣ କରାଯିବ। କୋଇଲା ଖଣିଜ ପଦାର୍ଥର ବିକାଶ ପାଇଁ ସରକାରଙ୍କ ପକ୍ଷରୁ 18 ହଜାର କୋଟିର ଘୋଷଣା କରାଯାଇଛି।

ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ 49 ରୁ 74 ପ୍ରତିଶ୍ରତକୁ ବୃଦ୍ଧି କରାଯାଇଛି। ଘରୋଇ ଭାବରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ସହିତ ଆଗାମୀ ଦିନରେ ଭାରତରେ ପ୍ରତିରକ୍ଷା ପାଇଁ ଏକ ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନ କରାଯିବ। ଅସ୍ତ୍ରଶସ୍ତ୍ର ନିର୍ମାଣରେ କର୍ପୋରେଟାଇଜେସନ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ଦ୍ବାରା ଅସ୍ତ୍ରଶସ୍ତ୍ର ନିର୍ମାଣ ସୁଗମ ହୋଇପାରିବ ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନ ମଧ୍ୟ ରହିବ। ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଦ୍ବାରା ଭାରତର ବିଦେଶୀ ଅସ୍ତ୍ରଶସ୍ତ୍ର କିଣିବା ବଜେଟ୍‌ରେ ହ୍ରାସ ଘଟିବ ଏବଂ ଅର୍ଥ ଭାରତୀୟ ନିର୍ମାଣକାରୀଙ୍କ ନିକଟରେ ରହିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବେସାମରିକ ବିମାନ ଚଳାଚଳ ପାଇଁ 60 ପ୍ରତିଶତ ଏୟାର ସ୍ପେସ୍‌କୁ ପୁନଃବ୍ୟବସ୍ଥିତ କରାଯିବ ଯାହାଦ୍ବାରା ସମସ୍ତ ବିମାନ କମ୍‌ ଦୂରତ୍ବ ରାସ୍ତା ଆପଣେଇବେ। ଏହାଦ୍ବାରା ଯାତ୍ରୀଙ୍କ ସମୟ ଏବଂ ବିମାନ ଇନ୍ଧନ ବଞ୍ଚିବ। ଏହାଦ୍ବାରା ପ୍ରାୟ 1 ହଜାର କୋଟି ଟଙ୍କାର ଫଇଦା ହେବ ଏବଂ ପ୍ରଦୂଷଣ ମଧ୍ୟ କମ୍‌ରହିବ। ସେହିପରି 6ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଅନ୍ୟକମ୍ପାନୀକୁ ହସ୍ତାନ୍ତର କରିବ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ। ଏଥିରୁ 2300 କୋଟିର ଫାଇଦା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନ ଇଞ୍ଜିନ୍‌ ମରାମତି କେନ୍ଦ୍ର ଭାରତରେ ନିର୍ମାଣ କରାଯିବ। ଏହା ଫଳରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ କମ୍ପାନୀ ଗୁଡିକ ଏହାଦ୍ବାରା ଲାଭବାନ ହୋଇପାରିବେ।

Categories
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରବାସୀ ଶ୍ରମିକ ଏବଂ ଉଠା ଦୋକାନୀଙ୍କ ପାଇଁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାର ଦ୍ବିତୀୟ ଦିବସରେ ପ୍ରବାସୀ ଶ୍ରମିକଙ୍କ ପାଇଁ 11 ହଜାର କୋଟିର ସହାୟତା ରାଶିର ଘୋଷଣା କରିଛନ୍ତି ସୀତାରମଣ। ବିଭିନ୍ନ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡ (ଏସ୍‌ଡିଆର୍‌ଏଫ୍‌)କୁ 11 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ବାରା ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଦୈନିକ ତିନୋଟି ମିଲ୍‌ ପ୍ରଦାନ କରାଯାଉଛି। ସେହିପରି ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରାଯାଇଛି। ଏହି ସମୟ ମଧ୍ୟରେ ଏସ୍ଏଚ୍‌ଜି ଗ୍ରୁପ୍‌ ଗୁଡିକ 3 କୋଟି ମାସ୍କ ନିର୍ମାଣ କରିଥିବା ବେଳେ 1.6 ଲକ୍ଷ ଲିଟର ସାନିଟାଇଜର୍‌ ନିର୍ମାଣ କରିଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କୁ ପୈସା ଆପ୍‌ ଜରିଆରେ ସେମାନଙ୍କର ଅର୍ଥ ପ୍ରଦାନ କରାଯିବ।

ସେହିପରି ଦେଶରେ ଲକ୍‌ଡାଉନ୍‌ ପରଠାରୁ 14.62 କୋଟି ଘଣ୍ଟାର ଶ୍ରମ ସମୟ ସୃଷ୍ଟି କରାଯାଇଥିବା ବେଳେ ଏହା ଦ୍ବାରା ପ୍ରାୟ 10 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ 1.87 ଲକ୍ଷ ପଞ୍ଚାୟତର 2.33 କୋଟି ଲୋକ ଲାଭବାନ ହୋଇଛନ୍ତି। ଏହି ସମୟରେ ସର୍ବନିମ୍ନ ମଜୁରୀ 180 ଟଙ୍କାରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରବାସୀ ଶ୍ରମିକ ମାନଙ୍କୁ ମନରେଗାରେ ସାମିଲ କରାଯାଉଥିବା ବେଳେ ମନରେଗାରେ ପଞ୍ଜୀକରଣ ସଂଖ୍ୟାରେ 40ରୁ 50 ପ୍ରତିଶତର ଅଭିବୃଦ୍ଧି ଘଟିଛି। ଦେଶର ମାତ୍ର 30 ପ୍ରତିଶତ ଶ୍ରମିକ ସର୍ବନିମ୍ନ ମଜୁରୀ ହାସଲ କରିପାରୁଛନ୍ତି, ଏହାକୁ ଦୂର କରିବା ପାଇଁ ଏକ ନୂତନ ନିୟମ ସମ୍ପର୍କରେ ଆଲୋଚନା କରିଛନ୍ତି ସୀତାରମଣ। ସେହିପରି ସମଗ୍ର ଦେଶରେ ଶ୍ରମିକ ମାନଙ୍କ ପାଇଁ ଏହି ନିୟମ ଲାଗୁ କରିବା ପାଇଁ ସୀତାରମଣ ସୂଚନା ଦେଇଥିଲେ।

ପୂର୍ବରୁ ମୁଣ୍ଡପିଛା 5 କିଗ୍ରା ଚାଉଳ ଏବଂ ପରିବାରକୁ 1 କିଗ୍ରା ଡାଲି ପ୍ରଦାନ ନେଇ ଘୋଷଣା କରାଯାଇଥିବା ବେଳେ ରାସନ କାର୍ଡ ନଥିବା ପ୍ରବାସୀଙ୍କୁ ମଧ୍ୟ ସମାନ ସୁବିଧା ମିଳିବା ନେଇ ନିର୍ମଳା ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନଙ୍କ ଜରିଆରେ ଏହି ଶ୍ରମିକ ମାନଙ୍କୁ ଚାଉଳ ଏବଂ ଡାଲି ପ୍ରଦାନ କରାଯିବ। ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ 3500 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ପ୍ରବାସୀ ମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ସେହିପରି ଓ୍ବାନ୍‌ ନେସନ୍‌ ଓ୍ବାନ୍‌ ରାସନ କାର୍ଡ ଜରିଆରେ ଯେ କୌଣସି ରାସନ୍‌ ଦୋକାନରୁ ରାସନ୍‌ ସାମଗ୍ରୀ ଆଣି ପାରିବେ। ପ୍ରବାସୀ ଶ୍ରମିକ କୌଣସି ରାଜ୍ୟରେ ନିଜର ରାସନ କାର୍ଡ ବ୍ୟବହାର କରିପାରିବେ। 23ଟି ରାଜ୍ୟର 83 ପ୍ରତିଶତ ରାସନ କାର୍ଡ ଧାରକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ମାର୍ଚ୍ଚ 2021 ସୁଦ୍ଧା ଶତ ପ୍ରତିଶତ କରିବା ପାଇଁ ଯୋଜନା ରଖାଯାଇଛି।

ପ୍ରବାସୀ ଶ୍ରମିକ ମାନଙ୍କ ରହିବା ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏହି ଯୋଜନାକୁ ସାମିଲ କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥାନ ସହିତ ଶିଳ୍ପପତି ଏବଂ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ମୁଦ୍ରା ଯୋଜନାରେ ରହିଥିବା ଶିଶୁ ଋଣ ପାଇଁ 1500 କୋଟିର ବ୍ୟବସ୍ଥା କରାଯାଇଛି। ଏହି ଋଣଧାରକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 2 ପ୍ରତିଶତର ସୁଧ ଛାଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ 1.62 ଲକ୍ଷ କୋଟି ଟଙ୍କାର ବକେୟା ରହିଥିବା ବେଳେ ପ୍ରାୟ 3 କୋଟିରୁ ଅଧିକ ଲୋକ ଉପକୃତ ହେବେ। ଦେଶରେ ରହିଥିବା ବିଭିନ୍ନ ଉଠାଦୋକାନୀଙ୍କ ପାଇଁ 5 ହଜାର କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଉଠା ଦୋକାନୀଙ୍କ ପାଇଁ ସରକାର 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି। ଏହା ସହିତ ଡିଜିଟାଲ ପେମେଣ୍ଟ କରିଲେ ଭବିଷ୍ୟତରେ ଅଧିକ ଋଣ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏହି ଯୋଜନାରେ ପ୍ରାୟ 50 ଲକ୍ଷ ଉଠାଦୋକାନୀ ଲାଭବାନ ହୋଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ଆତ୍ମନିର୍ଭର ଭାରତ ଯୋଜନା : କ୍ଷୁଦ୍ର ଚାଷୀଙ୍କ ପାଇଁ 25 ହଜାର କୋଟିର ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 20 ଲକ୍ଷ କୋଟି ସହାୟତା ରାଶିର ବିସ୍ତୃତ ସୂଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 5.9 ଲକ୍ଷ କୋଟିର ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପ୍ରବାସୀ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ସହାୟତା ରାଶିର ଘୋଷଣା କରାଯାଇଛି । ଏହି ପ୍ରେସ୍‌ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥସଚିବ ଯୋଗ ଦେଇଥିଲେ ।

ଦ୍ବିତୀୟ ଦିନରେ କ୍ଷୁଦ୍ର ଚାଷୀଙ୍କ ଋଣ ପ୍ରଦାନ ପାଇଁ 25 ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କୃଷିଋଣ ନେଇଥିବା କୃଷକ ମାନଙ୍କ ଋଣ ରାଶିକୁ 3 ମାସ ପାଇଁ ଛାଡ କରି ଦିଆଯାଇଛି । 31 ମେ ପର୍ଯ୍ୟନ୍ତ କୌଣସି ଅତିରିକ୍ତ ସୁଧ ମଧ୍ୟ ପ୍ରଦାନ କରିବାକୁ ପଡିବ ନାହିଁ । ଏହା ଦ୍ବାରା 4.22 କୋଟି ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି । ଏହା ସହିତ କେନ୍ଦ୍ର ସରକାରଙ୍କ 25 ଲକ୍ଷ କିଷାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯାଇଥିବା ନେଇ ସୀତାରମଣ ପ୍ରକାଶ କରିଛନ୍ତି । ମାର୍ଚ୍ଚ-ଏପ୍ରିଲ୍‌ ମାସରେ 63 ଲକ୍ଷ ଚାଷୀଙ୍କୁ 86600 ଟଙ୍କାର ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ସେହିପରି ନାବାର୍ଡ ପକ୍ଷରୁ 29 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ରାଜ୍ୟ ସରକାର ମାନଙ୍କ ପାଇଁ 6700 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥ ଦ୍ବାରା ଚାଷୀ ମାନଙ୍କ ନିକଟରୁ ବିଭିନ୍ନ ଉତ୍ପାଦ କ୍ରୟ କରିବେ ।