ପଞ୍ଚମ ଦିନର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ : ଜନଧନ ଆକାଉଣ୍ଟକୁ ପଠାଯାଇଛି 10 ହଜାର କୋଟି

Published: May 17, 2020, 11:33 am IST

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ 7.35 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ 5.94 ଲକ୍ଷ କୋଟି, ତୃତୀୟ ଦିନରେ 3.16 ଲକ୍ଷ କୋଟି ଏବଂ ଚତୁର୍ଥ ଦିନର ପ୍ୟାକେଜ୍‌ରେ 1.63 ଲକ୍ଷ କୋଟିର ଘୋଷଣା କରାଯାଇଥିଲା । ଅନ୍ତିମ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୀତାରମଣ ବର୍ଣ୍ଣନା କରିଥିଲେ । ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଜନଧନ ଆକାଉଣ୍ଟକୁ 10225 କୋଟି ଟଙ୍କା ସିଧାସଳଖ ପଠାଯାଇଛି । ତିନି ମାସର ମାଗଣା ରାସନ ଏବଂ ଗ୍ୟାସ୍‌ ପ୍ରଦାନ କରାଯିବା ସହିତ ପ୍ରବାସୀ ଶ୍ରମିକଙ୍କୁ ନେବାରେ 85 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଉଜ୍ଜଳା ଯୋଜନାରେ 8429 କୋଟି ଟଙ୍କାର ଫାଇଦା ପ୍ରଦାନ କରାଯାଇଥିବା ବେଳେ କୃଷି ପାଇଁ 8.79 କୋଟି କୃଷକଙ୍କ ଆକାଉଣ୍ଟକୁ 16394 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି 2.81 ବିଧବା ଏବଂ ଦିବ୍ୟାଙ୍ଗଙ୍କ ଆକାଉଣ୍ଟକୁ 2860 କୋଟି ଟଙ୍କା ପଠାଯାଇଥିବା ଜଣାପଡିଛି । (ଏଜେନ୍ସି)

Related posts