ରାଷ୍ଟ୍ରପତି ଭବନରେ ଥିବା ସଫେଇକର୍ମୀଙ୍କ ବୋହୂ କରୋନା ପଜିଟିଭ୍‌ : କ୍ବାରେଣ୍ଟାଇନ୍‌କୁ ଗଲେ 125 ପରିବାର

Published: Apr 21, 2020, 8:55 am IST

ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍‌ରେ ରହୁଛନ୍ତି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍‌ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍‌କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍‌ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍‌ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ ବାହାରିବାକୁ ମନା କରାଯାଇଥିବାବେଳେ ତାଙ୍କ ପାଇଁ ଖାଦ୍ୟ ରାଷ୍ଟ୍ରପତି ଭବନ ତରଫରୁ ଦିଆଯାଉଛି।

ସେହିପରି ଏହି ପରିବାରଙ୍କୁ ଗ୍ରୋସରୀ ଦୋକାନ ଯିବା ପାଇଁ ମନା କରାଯାଇଛି। ସଫେଇ କର୍ମୀଙ୍କ ପରିବାର ସହିତ ସମ୍ପର୍କରେ ଆସିଥିବା ପରିବାରର ମଧ୍ୟ କରୋନା ଟେଷ୍ଟ କରାଯାଇଛି। (ଏଜେନ୍ସି)

Related posts