
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ ସାଇଟ ରୁ ଜଣା ପଡୁଛି। ଏହି ନୂଆ ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। ଆଜି ସକାଳେ ଭୁବନେଶ୍ବରର ଜଣେ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଛିଛି। ୩୩ ଜଣ କରୋନା ମୁକ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ଆକ୍ରାନ୍ତ ତିନି ମହିଳାଙ୍କ ବୟସ ୪୮, ୭୪ ଏବଂ ୮୦ ରହିଥିବା ବେଳେ ଯୁବକଙ୍କ ବୟସ ୨୧ ରହିଛି। ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି।