ସେଲୁନ୍‌ ଖୋଲିବନି, କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଦିଆଯାଇଛି ଅନୁମତି : କେନ୍ଦ୍ର ଗୃହ ମନ୍ତ୍ରାଳୟ

Published: Apr 25, 2020, 2:42 pm IST

ନୂଆଦିଲ୍ଲୀ : ଦୋକାନ ଖୋଲିବା ନେଇ ପୁଣିଥିର ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଚୁଟିକଟା ସେଲୁନ୍‌ ଖୋଲିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ । କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ।

ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲା ରହିବ ନାହିଁ।

ସେହିପରି ଇ-କମର୍ସ କମ୍ପାନୀଗୁଡିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଯୋଗାଇବେ ବୋଲି ସ୍ପଷ୍ଟ ସୂଚନା ରହିଛି । ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଉପରେ କଟକଣାକୁ ବଳବତ୍ତର ରଖାଯାଇଛି। ହଟସ୍ପଟ୍ ଓ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କୌଣସି ପ୍ରକାର ଦୋକାନ ଖୋଲିବ ନାହିଁ।

ତେବେ ଦୋକାନ ଖୋଲିବା ନେଇ ସର୍ତ୍ତ ମାନିବାକୁ ପଡିବ । ଦୋକାନରେ କେବଳ ପଚାଶ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ । ସାମାଜିକ ଦୂରତାକୁ ନିୟକୁ କଡାକଡି ପାଳନ କରାଯିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)

Related posts