
ପିଣ୍ଟୁ ବିଷୋୟୀ
ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ସହର ଠାରୁ ଗାଁ ପୋଲିସ୍ ପଇଁତରା ମାରୁଛି। ଓଡିଶା ରାଜ୍ୟର ସୀମାରେ କଡା ଚେକିଂ କରାଯାଉଛି। ଓଡିଶା ସରକାର ଲକ ଡାଉନ ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି। ତେବେ ଏହିଭଳି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ବିଭିନ୍ନ ଉପାୟରେ ଘରକୁ ଫେରିବାକୁ ଚାହୁଁଛନ୍ତି। କିଛି ଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ସାଇକେଳ ଯୋଗେ ଯାଜପୁରରେ ପହଞ୍ଚିଥିବା ବେଳେ ଗଞ୍ଜାମର ଜଣେ ଯୁବକ ଆଜି ସମାନ ଢଙ୍ଗରେ ସାଇକେଲ ଯୋଗେ ଚେନ୍ନାଇରୁ ଫେରିଛନ୍ତି। ୭ ଦିନରେ ୧୧୦୦ କିମି ଅତିକ୍ରମ କରି ଯୁବକ ୨୩ ତାରିଖରେ ଗଞ୍ଜାମରେ ପହଞ୍ଚିଛନ୍ତି।
ବେଗୁନିଆପଡା ବ୍ଲକ ବଡଖଇରଖମା ଗ୍ରାମର ଯୁବକ ଜଣଙ୍କର ବୟସ ୨୫ ବର୍ଷ। ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକଙ୍କ ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଯୁବକ ଜଣକ ଚେନ୍ନାଇରୁ ସାଇକଲ ଯୋଗେଁ ବିଜୟୱାଡା ଆସିବା ପରେ ଏକ ମାଲବହି ଟ୍ରକରେ ଶ୍ରୀକାକୁଲମ ଆସି ପୁଣି ସାଇକଲ ଯୋଗେଁ ଯାତ୍ରା କରି ୨୩ ତାରିଖରେ ବଡ଼ଖଇରଖମାରେ ପହଁଚିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବାରିକ ଖବର ପାଇ ତାଙ୍କୁ ବଡ଼ଖଇରଖମାରେ ଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଛନ୍ତି। ବ୍ରହ୍ମପୁର ବଡମେଡିକାଲ କୋଭିଡ୍ ୧୯ ୱାର୍ଡରେ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ବେ ଚେନ୍ନାଇରୁ କିଭଳି ଚାଲିଆସିଲେ ତାକୁ ନେଇ ପ୍ରଶ୍ନ ଉଠିଛି।