
ଆଜି ନାଗପୁରଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ପୂର୍ବରୁ ହାଇଦ୍ରାବାଦଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାଜିତ କରି ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା, ଏହି ଛୋଟ ଲକ୍ଷ୍ୟକୁ ଭାରତୀୟ ଦଳ ୪୮.୨ ଓଭରରେ ପୂରଣ କରିନେଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ଦମଦାର ଖେଳ ପ୍ରଦର୍ଶନକରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ଖେଳାଳି ଯଥାକ୍ରମେ ୫୯ରନ ଏବଂ ୮୧ରନ କରି ଖେଳ ଶେଷ ପର୍ଯନ୍ତ ଅପରାଜିତ ଥିଲେ। ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଚଳିତ ଶୃଙ୍ଖଳା ପରେ ଉଭୟଦଳ ବିଶ୍ଵକପରେ ଭାଗନେବେ। ତେଣୁ ଦୁଇଦଳ ଫର୍ମକୁ ଆସିବାପାଇଁ ଏହା ହେଉଛି ଶେଷ ସୁଯୋଗ। ଅଧିନାୟକ ବିରାଟ କୋହଲୀ ଦ୍ଵିତୀୟ ମ୍ୟାଚ ଜିତି ଶୃଙ୍ଖଳାକୁ ୨-୦ରେ ଅଗ୍ରଣୀ କରିବାପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଟି୨୦ ସିରିଜ ବିଜେତା ଫିଞ୍ଚଙ୍କ ଦଳ କୌଣସିମତେ ଦ୍ଵିତୀୟ ମ୍ୟାଚକୁ ହାତମୁଠାରୁ ଖସେଇବାକୁ ଦେବନି। ତାଙ୍କ ଦଳ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ବନି ରହିବାପାଇଁ ଚେଷ୍ଟା ନିଶ୍ଚିତ କରିବେ ।