ମୁସଲମାନଙ୍କଠାରୁ ପରିବା ନ କିଣିବା ପ୍ରସଙ୍ଗରେ ବିଜେପି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

Published: Apr 28, 2020, 9:41 pm IST

ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରିଥିବାରୁ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନା ସଂକ୍ରମଣକୁ ଧାର୍ମିକ ରଙ୍ଗ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନଡ୍ଡା ।

ପୂର୍ବରୁ ୟୁପି ବିଜେପି ପ୍ରଦେଶର ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ତିଓ୍ବାରୀଙ୍କ ଏହି ବୟାନ ପାଇଁ ତାଙ୍କୁ କାରଣ ନୋଟିସ୍‌ ଜାରି କରିଥିଲେ । ଏହି ନୋଟିସ୍‌ରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଆଚରଣ ବିରୋଧରେ ଆପଣଙ୍କ ଦ୍ବାରା ସାର୍ବଜନିକ ରୂପରେ ବକ୍ତବ୍ୟ ଦେଇଥିବାର ଅଭିଯୋଗ ପ୍ରାପ୍ତ ହୋଇଛି । ଯାହାକୁ ଦଳକୁ ଗମ୍ଭୀରତା ସହ ନେଇଛି। ଏହା ସହିତ ତିଓ୍ବାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,  ଦେବରିଆ ଜିଲ୍ଲା ବରହଜ ଆସନର ବିଜେପି ବିଧାୟକ ସୁରେଶ ତିଓ୍ବାରୀ ମୁସଲମାନଙ୍କଠାରୁ ପରିବା କିଣନାହିଁ ବୋଲି ବୟାନ ଦେଇଥିଲେ, ଯାହା ଭାଇରାଲ୍‌ ହୋଇଥିଲା । ଏହି ଭାଇରାଲ୍‌ ଭିଡିଓରେ ତିଓ୍ବାରୀ କହିଥିଲେ ଯେ, ‘’ଗୋଟେ କଥାରେ ଧ୍ୟାନ ରଖନ୍ତୁ, ମୁଁ ଓପନ୍‌ଲି କହୁଛି ଯେ, କୌଣସି ମିଆଁ (ମୁସଲମାନ)ଙ୍କ ହାତରୁ ପରିବା ନେବେ ନାହିଁ’ ।

ତେବେ ତିଓ୍ବାରୀ ଏହା ସମ୍ବନ୍ଧରେ କହିଛନ୍ତି ଯେ, ସେ ସେଠାରେ ମାସ୍କ ଓ ସାନିଟାଇଜର୍‌ ବିତରଣ କରୁଥିଲେ । ଏହି ସମୟରେ 17ରୁ 18ଜଣ ଆସି ତବଲିଗି ଜମାତର ଆସିଥିବା କିଛି ଲୋକ କରୋନା ଭାଇରସ୍‌ ବଢାଇବା ପାଇଁ ପରିବା ଉପରେ ଛେପ ପକାଉଥିବାର ଅଭିଯୋଗ କରିଥିଲେ । ଏଥିପାଇଁ ସେ ତାଙ୍କ (ମୁସଲମାନ ପରିବା ବିକ୍ରେତା)ସହ ଲଢାଇ ତଥା ଆଇନକୁ ହାତକୁ ନ ନ ନେବା ପାଇଁ ସେମାନଙ୍କଠାରୁ ପରିବା ନ କିଣିବା ପାଇଁ କହିଥିଲେ ।

Related posts