ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଲା ମା

Published: Apr 29, 2020, 5:26 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଏହି ଘଟଣା ପରେ ଯୁବକଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାହ୍ନ ୨.୩୦ମିନିଟ୍‌ରେ ପୁଅର ପ୍ରାଣହାନି ଘଟିଥିବା ବେଳେ ଦୁଇ ଘଣ୍ଟା ବ୍ୟବଧାନରେ ମା ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Related posts