ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ସୋନିଆ ଗାନ୍ଧିଙ୍କ ବଡ ଘୋଷଣା – ରେଳ ଟିକେଟର ସମ୍ପୂର୍ଣ୍ଣ ଖର୍ଚ୍ଚ କଂଗ୍ରେସ ବହନ କରିବ

Published: May 4, 2020, 9:49 am IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ବିରୋଧରେ ଲଢେଇ  ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି ।  ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁ  କରାଯାଇଛି । କିନ୍ତୁ ଏହି ଟ୍ରେନ୍‌ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍‌ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି ।  କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍‌ ଯୋଗେ ଘରକୁ ଫେରୁଛନ୍ତି ସେମାନଙ୍କ ରେଳ ଯାତ୍ରାର ଖର୍ଚ୍ଚ ଉଠାଇବ ।

ସୋମବାର ଦିନ ଏହି ସମ୍ପର୍କରେ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । କେବଳ ଚାରି ଘଣ୍ଟାର ନୋଟିସ୍‌ ରେ ଲକ୍‌ ଡାଉନ୍‌ ଲାଗୁ ହେବା କାରଣରୁ ଦେଶର ଶ୍ରମିକମାନେ ଘରକୁ ଯିବାରୁ ବଞ୍ଚିତ ହୋଇଛନ୍ତି । 1947 ପରେ ଦେଶରେ ପ୍ରଥମଥର ପାଇଁ ଏପରି ଭାବରେ ଶ୍ରମିକମାନେ ହଜାର ହଜାର କିମି ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଲେ । ସୋନିଆ ଗାନ୍ଧି ନିଜ ବୟାନରେ କହିଛନ୍ତି ଯେ, ବିଦେଶରେ ଫସିଥିବା ଭାରତୀୟଙ୍କୁ ବିନା ଖର୍ଚ୍ଚରେ ଦେଶକୁ ଅଣାଯାଉଛି । ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ସରକାରୀ ଅର୍ଥରୁ 100 କୋଟି ଖର୍ଚ୍ଚ କରାଯାଉଛି । କିନ୍ତୁ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଖର୍ଚ୍ଚ ଆଦାୟ କରାଯାଉଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ ଡାଉନ୍‌ ଜାରି ହେଲା । ଏହା ପରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଗଲେ । ଏହାର 40 ଦିନ ପରେ ଏବେ ଘରକୁ ଯିବାକୁ ଅନୁମତି ମିଳିଛି । ରାଜ୍ୟସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ବେଶାଲ୍‌ ଟ୍ରେନ୍‌କୁ ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ଯାତ୍ରାରେ ଶ୍ରମିକଙ୍କ ଟ୍ରେନ୍‌ ଯାତ୍ରାର ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । କିନ୍ତୁ ଏହା ଶ୍ରମିକଙ୍କଠାରୁ ଆାଦାୟ କରାଯିବ । ରେଳ ମନ୍ତ୍ରାଳୟଙ୍କ ଏହି ନିଷ୍ପତ୍ତିକୁ ନେଇ ବହୁ ଆଲୋଚନା ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କେବଳ ରାଜନୈତିକ ଦଳ ନୁହେଁ ବରଂ ରାଜ୍ୟ ସରକାରମାନେ ମଧ୍ୟ ବିରୋଧ କରିଛନ୍ତି ।

Related posts