ରାଜ୍ୟରେ ପୁଣି ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

Published: May 9, 2020, 8:42 am IST

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସକାଳେ 14 ଜଣ ଚିହ୍ନଟ ହୋଇଥିବାବେଳେ ଏବେ ତିନି ଜଣ  ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରେ ଏହି ତିନି ନୂଆ ଆକ୍ରାନ୍ତଙ୍କୁ ମିଶାଇ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 287ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି।

ଗଞ୍ଜାମରୁ ସର୍ବାଧିକ ରୋଗୀ 83ଜଣ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଯାଜପୁର ଓ ଖୋର୍ଦ୍ଧା। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ 32 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ରହିଥିବାବେଳେ ଭଦ୍ରକରେ 25, ସୁନ୍ଦରଗଡରେ 13, ଜଗତସିଂହପୁରରେ5, ବଲାଙ୍ଗିର, କଟକ, ଝାରସୁଗୁଡା, କଳାହାଣ୍ଡି, କେଉଁଝରରେ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିଲେ। ସେହିପରି ଦେବଗଡ, ଢେଙ୍କାନାଳ, କେରାପୁଟ ଓ ପୁରୀ ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବମୋଟ 287 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇଥିବାବେଳେ 222ଟି ଆକ୍ଟିଭ କେସ୍‌ ରହିଛି ଓ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

Related posts