ସାଇକେଲରେ ପରିବାରକୁ ଧରି ଲକ୍ଷ୍ନୌରୁ ଯାଉଥିଲେ ଛତିଶଗଡ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ

Published: May 9, 2020, 9:57 am IST

ଲକ୍ଷ୍ନୌ: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ । ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରେ ଫସି ରହିଛନ୍ତି ଶ୍ରମିକମାନେ । ଖାଦ୍ୟ ଓ କାମ ଅଭାବରୁ ଏବେ ଘର ମୁହାଁ ହୋଇଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।  କେହି କେହି ଚାଲି ଚାଲି ତ କେହି ସାଇକେଲ୍‌ରେ । ଏହି ଯିବା ବାଟରେ ତାଙ୍କୁ ବହୁ କଷ୍ଟ କରିବାକୁ ପଡୁଥିବାବେଳେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତକାଲି ରେଳ ଧାରଣାରେ ଶ୍ରମିକମାନେ ନିଜ ଗ୍ରାମକୁ ଯାଉଥିବାବେଳେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବା ଫଳରେ 15 ଜଣ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହିପରି ଏକ ଆଉ ଏକ ଶ୍ରମିକ ପରିବାରଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।  ଲକ୍‌ ଡାଉନ୍‌ ଯୋଗୁଁ କାମ ଓ ଖାଦ୍ୟର ଅଭାବ ଯୋଗୁଁ ଲକ୍ଷ୍ନୌରେ ଫସି ରହିଥିବା ଶ୍ରମିକ ଦମ୍ପତି ନିଜ ଛୁଆଙ୍କ ସହ ସାଇକେଲ୍‌ ଯୋଗେ ଛତିଶଗଡ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଶିଶୁ ବଞ୍ଚିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ସ୍ବାମୀ ସ୍ତ୍ରୀ ହେଉଛନ୍ତି ଛତିଶଗଡର କୃଷ୍ଣା ଓ ପ୍ରମିଳା । ଦୁହେଁ ଏକ ସାଇକେଲ ଯୋଗେ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସିଟିର ସହିଦ ପଥ ଦେଇ ଯାଉଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ବାମୀ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତି ମୃତ୍ୟୁବରଣ କରିଛନ୍ତି ।

Related posts