ଡାକ୍ତରଙ୍କ କାନ ଛିଣ୍ଡାଇଲେ ରୋଗୀଙ୍କ ସମ୍ପର୍କୀୟ

Published: May 10, 2020, 11:43 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର  :  ଆଜି ଏମ୍‌କେସିଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏମ୍‌କେସିଜିରେ ପ୍ରସୂତି ବିଭାଗ ଡାକ୍ତରଙ୍କୁ ରୋଗଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଥିବାର ସୂଚନା ରହିଛି । ରାଗରେ ଡାକ୍ତରଙ୍କ କାନକୁ କାମୁଡିକୁ ଛିଣ୍ଡାଇଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଲେବର ରୁମ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଡାକ୍ତରଙ୍କୁ ଆକ୍ରମଣ ନେଇ ଏମ୍‌କେସିଜିରେ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ ପ୍ରସୂତି ରୁମ୍‌କୁ ନେଇ ଗଣ୍ଡଗୋଳ ଘଟି ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି କାଣ୍ଡ ଘଟାଇଛନ୍ତି। ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାରିଣୀ ମହାପାତ୍ର। ଡାକ୍ତର ଶଖିଲ ଖାନ ଏମକେସିଜି ମେଡିକାଲର ଲେବର ରୁମରେ କାର୍ଯ୍ୟରତ ଥିବା ବେଳେ ଜୋର ଜବରଦସ୍ତ କିଛି ଲୋକ ରୁମ ଭିତରକୁ ପ୍ରବେଶ କରୁଥିଲେ ଏହାକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ପ୍ରସୂତି ରୁମ୍‌ରେ ଥିବା ମହିଳା ମାନେ ମଧ୍ୟ ପ୍ରତିବାଦ କରିଥିଲେ।

ଏହାପରେ ଅଭିଯୁକ୍ତ ଜଣକ ରାଗରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିବାର ସୂଚନା ରହିଛି। ଏ ନେଇ ଡାକ୍ତର ସ୍ଥାନୀୟ ବୈଦ୍ୟନାଥ ପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି।

Related posts