ଖୋର୍ଦ୍ଧାର ତିନି ନୂଆ ଆକ୍ରାନ୍ତଙ୍କ ତଥ୍ୟ ଜାରି: ବାଣପୁରରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

Published: May 14, 2020, 12:05 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରୁ ଚିହ୍ନଟ ନୂଆ ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ମାନେ ଭୁବନେଶ୍ବର ତଥା ଭୁବନେଶ୍ବର ଆଖପାଖ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ ଏବେ ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଛି କରୋନା ମହାମାରୀ।

ଆଜି ଚିହ୍ନଟ ତିନି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକରେ ଦୁଇଜଣ ରହିଥିବାବେଳେ ଓ ବାଣପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି। ଟାଙ୍ଗୀ ବ୍ଲକ କୁହୁଡି ଚୁଆଟାଙ୍ଗୀର ଜଣେ ଓ ଲେଣ୍ଡୁ ପଞ୍ଚାୟତର ଜଣେ ରହିଥିବାବେଳେ ବାଣପୁର ବ୍ଲକ୍‌ର ଗାଲୁଆ ପଞ୍ଚାୟତର ମାଟିଆ ପୋଖରୀ ଗ୍ରାମର ଜଣେ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଥିବାବେଳେ ସମସ୍ତେ କ୍ବାରେଣ୍ଟାଇନ୍‌ରେ ରହିଥିଲେ।

ଏହି ତିନି ଆକ୍ରାନ୍ତଙ୍କୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଏହି ତିନି ପଞ୍ଚାୟତରେ ଥିବା କ୍ବାରେଣ୍ଟିନ୍‌ କେନ୍ଦ୍ର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ଆଜି ଚିହ୍ନଟ ୭୩ ଜଣ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଆକ୍ରାନ୍ତଙ୍କ ସମେତ ଗଞ୍ଜାମରୁ ୪୨, ଭଦ୍ରକରୁ୯, ଯାଜପୁରରୁ ୧୭, ସୁନ୍ଦରଗଡରୁ ୨ ଜଣ ରହିଛନ୍ତି।

Related posts