ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ

Published: May 16, 2020, 7:41 am IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts