ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ କୁମାରାଙ୍ଗ ସରପଞ୍ଚ: ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା

Published: May 16, 2020, 5:30 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ନିଜ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିଛନ୍ତି ସରପଞ୍ଚ। ଉକ୍ତ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିବା ବେଳେ ସରପଞ୍ଚ ୪ଟି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରପଞ୍ଚ ମନୋଜ କୁମାର ପ୍ରଧାନ କୁମାରାଙ୍ଗ ପଞ୍ଚାୟତ ଅଧୀନସ୍ଥ କେଶପୁର, ବୀରକେଶପୁର, କନ୍ଧଦୁଲ୍ଲଣୀ ଏବଂ ଖୁଣ୍ଟପଲ୍ଲୀ ଗ୍ରାମରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୭୨ ଘଣ୍ଟା ପାଇଁ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧ ପ୍ଲାଟୁନୁ ପୋଲିସ୍‌ ମୁତୟନ ହୋଇଛନ୍ତି। ୧୬ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲାରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ମଧ୍ୟରେ ବାଣପୁରର ବୋରେଇସାହିର ଜଣେ ୮ ବର୍ଷୀୟ ବାଳକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ। ରାଜ୍ୟ ବାହାରୁ ଫେରିଥିବା ନିଜ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ବାଳକ ଜଣକ ସଂକ୍ରମିତ ହୋଇଥିବା ଜଣାପଡିଛି। ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ବୋରେଇସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ବରେ ରହିଥିବା ଗ୍ରାମ ଗୁଡିକୁ ସଟ୍‌ଡାଉନ୍‌ କରାଯାଇଛି। କୁମରାଙ୍ଗ କ୍ବାରେଣ୍ଟିନ୍‌ ସେଣ୍ଟରରେ ୩୪ ଜଣ ପ୍ରବାସୀ ରହିଥିବା ବେଳେ ଗୋଦାବରୀଶ ବିଦ୍ୟାପୀଠରେ ୧୨ ଏବଂ ନାଚୁଣୀ ମହାବିଦ୍ୟାଳୟରେ ୯ ଜଣ ପ୍ରବାସୀ ଓଡିଆ ଅବସ୍ଥାନ କରୁଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି।

Related posts