ବାତ୍ୟା ରୂପ ନେଲା ଆମ୍ଫାନ

Published: May 16, 2020, 9:53 pm IST

ଭୁବନେଶ୍ବର: ବାତ୍ୟା ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।  ଗଭୀର ଅବପାତରୁ ବାତ୍ୟା ‘ଆମ୍ଫାନ’ରେ ପରିଣତ ହେଲା ଲଘୁଚାପ। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏବେ ପାରାଦ୍ବୀପର ଦକ୍ଷିଣରେ 1040 କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ୍‌। ସେହିପରି ଦୀଘାର ଦକ୍ଷିଣ ପଶ୍ଚିମରେ 1200 କିମି ଦୂରରେ ରହିଛି। ଆସନ୍ତା 12 ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ଆମ୍ଫାନ୍‌ । 18 ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଯାଏଁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡକୁ ମୁହାଁଇବ। ଏହା ପ୍ରଭାବରେ 18ରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ରହିଛି।

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ସମ୍ପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‌ସଂଲଗ୍ନ 12 ଗୋଟି ଜିଲ୍ଲା ଯଥା (ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ)କୁ ସତର୍କ କରାଯାଇଛି। ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିପଦସଙ୍କୁଳ ଜିଲ୍ଲାଗୁଡିକର ଜିଲ୍ଲା ପ୍ରଶାସନକୁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷିତ ପକ୍କା ସରକାରୀ କୋଠା ଘରକୁ ନିରାପଦ ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ କରିବା ନିମନ୍ତେ କୁହାଯାଇଛି। ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ୍‌, ଚେନ୍ ଏବଂ ଅନ୍ୟ ଜରୁରୀକାଳୀନ ଉପକରଣକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ସେହିପରି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୟୁନିଟ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ଚିକିତ୍ସାଳୟ ଓ ଭାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଅଛି। ସମସ୍ତ ଚିକିତ୍ସାଳୟରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

Related posts