Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆକାଶମାର୍ଗରୁ ସ୍ଥିତି ଦେଖିବା ପରେ ଓଡିଶା ପାଇଁ 5 ଶହ କୋଟିର ଆର୍ଥିକ ସହାୟତା ଘୋଷଣା କଲେ ମୋଦି

ଭୁବନେଶ୍ବର : ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 500 କୋଟିର ସହାୟତା ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦି । କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 500 କୋଟିର ଆଗୁଆ ସହାୟତା ରାଶିର ଘୋଷଣା କରିଥିଲେ ।

ଏପରି ବିପର୍ଯ୍ୟୟ ସମୟରେ ରାଜ୍ୟ ମାନଙ୍କ ସହିତ କାନ୍ଧ କାନ୍ଧ ମିଳାଇ ସରକାର କାମ କରୁଛନ୍ତି । ସେହିପରି ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ପୂର୍ଣ୍ଣକାଳୀନ ସହାୟତା ପ୍ରଦାନ କରାଯିବ । ସେହିପରି ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନବନ୍ଦରର କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ସମୀକ୍ଷା ବୈଠକ ପରେ 6.15 ମିନିଟ୍‌ ସମୟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

Categories
ଆଜିର ଖବର ରାଜ୍ୟ ଖବର

ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ନବୀନ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରିପୋର୍ଟ ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ!

ଭୁବନେଶ୍ବର : ଆସନ୍ତା କାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ୍ପାନ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଏବଂ ପଶ୍ଚିମବଙ୍ଗ ଆସିବେ । ଓଡିଶା ଏବଂ ପଶ୍ଚିମବଙ୍ଗର ବାତ୍ୟା ପ୍ରପୀଡିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ପକ୍ଷରୁ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିବାରୁ ଏହାକୁ ନେଇ ଏହି ଆକଳନ କରାଯାଉଛି । ଏହି ଯାଞ୍ଚ ସମୟରେ କମିଶନର ସୁଧାଷୁଂ ଷଡଙ୍ଗୀ ଏବଂ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ଶେଷ ସୁଦ୍ଧା ମେଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ବର : ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ମେଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ବାତ୍ୟା ଆମ୍ପାନ୍‌ କାରଣରୁ ଖାତା ଦେଖା ବିଳମ୍ବ ହୋଇଥିବାରୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଖାତା ଦେଖା ତାରିଖ ଘୋଷଣା କରାଯିବ । ଖାତା ଦେଖା ଆରମ୍ଭ ହେବା ପରେ ପରୀକ୍ଷା ଫଳର ତାରିଖ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।

Categories
ଫଟୋ ଖବର

ମୟୁରଭଂଜ ଜିଲ୍ଲାରେ ଅମ୍ଫାନ ବାତ୍ୟାର ପ୍ରକୋପ ପରେ ଶରତ ଥାନା ପୋଲିସ ରାସ୍ତା ସଫା କରିବାରେ ବ୍ୟସ୍ତ

ବାରିପଦା, ଅମ୍ଫାନ ବାତ୍ୟାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାହାର ପ୍ରକୋପ ଦେଖାଇ ଫେରିଯାଇଛି। ଏଙି ସମୟରେ ବାତ୍ୟା ମୟୁରଭଂଜ ଜିଲ୍ଲାର ମଧ୍ୟ କିଛି କ୍ଷୟକ୍ଷତି କରିଦେଇଛି। ଜିଲ୍ଲାର ଶରତ ଥାନା ଅଧିକାରୀମାନେ ରାସ୍ତାରେ ଉପୁଡିପଡିଥିବା ଗଛଗୁଡିକୁ ସଫା କରିବା କାମରେ ଲାଗିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ବର : ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅତି ଭୀଷଣ ବାତ୍ୟାକୁ ଖସିଲା ଆମ୍ଫାନ୍‌

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସମୁଦ୍ର ମଧ୍ୟରେ କ୍ରମଶଃ ଦୁର୍ବଳ ହେବା ସହିତ ଏହି ବାତ୍ୟାଟି ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ 420 କିମି ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ଏହାର ବେଗ 30 କିମି ରହିଛି । ଉଲ୍ଲେଖଯୋଗ୍ୟ ଯେ ଆମ୍ଫାନ ଆସନ୍ତା କାଲି ସୁଦ୍ଧା ସୁନ୍ଦରବନ ଏବଂ ହାତିଆ ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ଅନୁଭବ ହେଲାଣି ମହାବାତ୍ୟା ‘ଅମ୍ଫାନ’ର ପ୍ରଭାବ, ଭୁବନେଶ୍ବରରେ ହାଲକା ପବନ ସହିତ ଝିପିଝିପି ବର୍ଷା

ଭୁବନେଶ୍ବର, ଆଜି ସକାଳୁ ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ‘ଅମ୍ଫାନ’ ର ପ୍ରଭାବ ଅନୁଭୁତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ ପ୍ରବାହିତ ହେବାରେ ଲାଗିଛି। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହେଉଛି। ତେବେ ରାଜଧାନୀରେ ବର୍ତ୍ତମାନ ପବନ ପ୍ରଭାବ ଆରମ୍ଭ ହୋଇଯାଇଛି।

ଅମ୍ପାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ 135 କିଲୋମିଟର ଯାଏ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବର୍ତ୍ତମାନ ଅମ୍ଫାନ ଏବେ ପାରାଦୀପଠାରୁ 570 କିମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ 720 କିମି ଦୂରରେ ରହିଛି । ଅମ୍ପାନ୍‌’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍‌ କରିବ ‘ଅମ୍ପାନ୍‌’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍‌ କରିପାରେ ଅମ୍ପାନ୍‌ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ 165ରୁ 175 କିମି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆମ୍ଫାନ ଘୂର୍ଣ୍ଣିବାତ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ୨୫ ଏନଡିଆରଏଫ ଦଳ ମୁତୟନ

ନୂଆଦିଲ୍ଲୀ : ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଆମ୍ଫାନକୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି । ଏନଡିଆରଏଫର ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଘଟଣାସ୍ଥଳରେ ୨୫ଟି ଟିମ ମୁତୟନ ହୋଇଥିବା ବେଳେ ଆହୁରି ୧୨ଟି ଟିମକୁ ସଜାଗ ରଖାଯାଇଛି । ଏନଡିଆରଏଫର ଆହୁରି ୨୪ଟି ଟିମ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା, କ୍ୟାବିନେଟ ସଚିବ ରାଜୀବ ଗୌବା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । (ପିଆଇବି)

Categories
ବିଶେଷ ଖବର

ଆମ୍ଫାନର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଏସ୍‌ଆରସି ପ୍ରଦୀପ୍‌ ଜେନାଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି । ଏହା ସହିତ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି 4 ପ୍ରଶାସନିକ ଅଧିକାରୀ ଉକ୍ତ ଜିଲ୍ଲା ମାନଙ୍କରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ବାତ୍ୟାକୁ ନେଇ ସରକାର ନିଜର ପୂର୍ବ ଅଭିଜ୍ଞତାର ବିନିଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ବିଦ୍ୟୁତ ସରବରାହ ବିଛିନ୍ନ ହୁଏ ଏହାକୁ ତୁରନ୍ତ ପୁନର୍ବ୍ୟବସ୍ଥିତ କରିବାର ପ୍ରୟାସ କରାଯିବ ।

12ଟି ଜିଲ୍ଲାକୁ ସମୁଦାୟ 13ଟି ଏନ୍‌ଡିଆରଏଫ୍‌ ଟିମ୍‌, 15ଟି ଓଡ୍ରାଫ୍‌ ଟିମ୍‌ ଏବଂ 217ଟି ଅଗ୍ନିଶମ ବିଭାଗ ଟିମ୍‌ ପଠାଯାଇଛି । ଏହି 217ଟି ଟିମ୍‌ 509ଟି ସବ୍‌ଟିମ୍‌ ହୋଇ କାମ କରିପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ମତ ଦେଇଛନ୍ତି । ସେହିପରି ଏନ୍‌ଡିଆରଏଫ୍‌ର 6ଟି ଟିମ୍‌, 5ଟି ଓଡ୍ରାଫ୍‌ ଟିମ୍‌ ଏବଂ 17ଟି ଅଗ୍ନିଶମ ବିଭାଗ ଟିମ୍‌ ରିଜର୍ଭ ଭାବରେ ରଖାଯାଇଛି । ଆସନ୍ତା କାଲି ଏହାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଉ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା କାଲି ସୁଦ୍ଧା ଏହାକୁ ସମାପ୍ତ କରିବାର ଯୋଜନା ରଖାଯାଇଛି । ବର୍ତ୍ତମାନ 598ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ସମସ୍ତ ଟ୍ୟାଙ୍କର ଗୁଡିକୁ ପାଣିରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଉପଲବ୍ଧ ରହିଥିବା ସମସ୍ତ ହୋର୍ଡିଂ ଗୁଡିକୁ ହଟାଯିବାର ପ୍ରୟାସ କରାଯାଉଥିବା ନେଇ ଏସ୍‌ଆରସି ସୂଚନା ଦେଇଛନ୍ତି । ସମୁଦ୍ର ମଧ୍ୟକୁ ଯାଇଥିବା 4 ହଜାର ବୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରି ଆସିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ୍‌ ମୁକାବିଲା : 4 ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ

ଭୁବନେଶ୍ବର : ମାଡି ଆସୁଥିବା ବାତ୍ୟା ଆମ୍ଫାନର ମୁକାବିଲା ପାଇଁ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାମୁଦ୍ରିକ ଝଡ ଆମ୍ଫାନ୍‌ ବର୍ତ୍ତମାନ ପାରାଦ୍ବୀପରୁ 770 କିମି ଦୂରରେ ରହିଥିବା ବେଳେ 20 ତାରିଖ ଅପରାହ୍ନ ସୁଦ୍ଧା ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ରୂପ ନେଲା ଆମ୍ଫାନ

ଭୁବନେଶ୍ବର: ବାତ୍ୟା ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।  ଗଭୀର ଅବପାତରୁ ବାତ୍ୟା ‘ଆମ୍ଫାନ’ରେ ପରିଣତ ହେଲା ଲଘୁଚାପ। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏବେ ପାରାଦ୍ବୀପର ଦକ୍ଷିଣରେ 1040 କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ୍‌। ସେହିପରି ଦୀଘାର ଦକ୍ଷିଣ ପଶ୍ଚିମରେ 1200 କିମି ଦୂରରେ ରହିଛି। ଆସନ୍ତା 12 ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ଆମ୍ଫାନ୍‌ । 18 ତାରିଖ ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଯାଏଁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡକୁ ମୁହାଁଇବ। ଏହା ପ୍ରଭାବରେ 18ରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ରହିଛି।

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ସମ୍ପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‌ସଂଲଗ୍ନ 12 ଗୋଟି ଜିଲ୍ଲା ଯଥା (ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ)କୁ ସତର୍କ କରାଯାଇଛି। ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିପଦସଙ୍କୁଳ ଜିଲ୍ଲାଗୁଡିକର ଜିଲ୍ଲା ପ୍ରଶାସନକୁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷିତ ପକ୍କା ସରକାରୀ କୋଠା ଘରକୁ ନିରାପଦ ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ କରିବା ନିମନ୍ତେ କୁହାଯାଇଛି। ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ୍‌, ଚେନ୍ ଏବଂ ଅନ୍ୟ ଜରୁରୀକାଳୀନ ଉପକରଣକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ସେହିପରି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୟୁନିଟ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ଚିକିତ୍ସାଳୟ ଓ ଭାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଅଛି। ସମସ୍ତ ଚିକିତ୍ସାଳୟରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ବୈଠକରେ 12ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ । ପୂର୍ବରୁ ରାଜ୍ୟ୍ ଫନି, ତିତଲି, ବୁଲବୁଲ, ଫାଇଲିନ୍‌ ପରି ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି ତେଣୁ ସାଧରଣ ଜନତା ଆତଙ୍କିତ ନହୋଇ ସରକାରଙ୍କ ସହାୟତା କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ହେବା ଅନୁଚିତ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା, ବିଜୁଳି ଓ ପାନୀୟ ଜଳଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ବୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବାତ୍ୟାର ମୁକାବିଲା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଆଲୋଚନା କରିଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 567ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ 7 ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି ଯେଉଁଥିରେ 11 ଲକ୍ଷ ଲୋକ ଅବସ୍ଥାନ କରିପାରିବେ । ଏହା ସହିତ 3ଟି ଏନ୍‌ଡିଆରଏଫ୍‌, 12ଟି ଓଡ୍ରାଫ୍‌ ଏବଂ 355 ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ ରହିଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ । ସେହିଭଳି 4ଟି ଜିଲ୍ଲାରେ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଡାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ସହିତ ସହରାଞ୍ଚଳର ଜଳଆବଦ୍ଧ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସହିତ ବିଭିନ୍ନ ବିଭାଗର ସଚିବ ଏବଂ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।