ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published: May 16, 2020, 7:20 pm IST

ଭୁବନେଶ୍ବର : ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ବୈଠକରେ 12ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ । ପୂର୍ବରୁ ରାଜ୍ୟ୍ ଫନି, ତିତଲି, ବୁଲବୁଲ, ଫାଇଲିନ୍‌ ପରି ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି ତେଣୁ ସାଧରଣ ଜନତା ଆତଙ୍କିତ ନହୋଇ ସରକାରଙ୍କ ସହାୟତା କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ହେବା ଅନୁଚିତ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା, ବିଜୁଳି ଓ ପାନୀୟ ଜଳଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ବୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବାତ୍ୟାର ମୁକାବିଲା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଆଲୋଚନା କରିଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 567ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ 7 ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି ଯେଉଁଥିରେ 11 ଲକ୍ଷ ଲୋକ ଅବସ୍ଥାନ କରିପାରିବେ । ଏହା ସହିତ 3ଟି ଏନ୍‌ଡିଆରଏଫ୍‌, 12ଟି ଓଡ୍ରାଫ୍‌ ଏବଂ 355 ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ ରହିଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ । ସେହିଭଳି 4ଟି ଜିଲ୍ଲାରେ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଡାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ସହିତ ସହରାଞ୍ଚଳର ଜଳଆବଦ୍ଧ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସହିତ ବିଭିନ୍ନ ବିଭାଗର ସଚିବ ଏବଂ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Related posts