କଳାହାଣ୍ଡିର ୧୧ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

Published: May 20, 2020, 5:41 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାରି କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ନୂତନ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ପ୍ରବାସୀ ଓଡିଆ ହୋଇଥିବା ବେଳେ ଜଣେ ଜୀବିକା ମିଶନ କର୍ମୀ ରହିଛନ୍ତି। ଏହି ୧୦ ଜଣ ପ୍ରବାସୀ ଦୁଇଟି ପୃଥକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବସ୍ଥାନ କରୁଥିଲେ। ଭବାନୀପାଟଣାର ଶଗଡା ସଙ୍ଗରୋଧ କେନ୍ଦ୍ରରେ ୪ ଜଣ ଏବଂ ଲାଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୬ ଜଣ ପ୍ରବାସୀ ଅବସ୍ଥାନ କରୁଥିଲେ। ଆକ୍ରାନ୍ତ ୧୦ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଛତିଶଗଡ ଓ ଗୁଜରାଟରୁ ଜଣେ ଲେଖାଏଁ ପ୍ରବାସୀ ରହିଛନ୍ତି। ପ୍ରବାସୀଙ୍କ ବ୍ୟତିତ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଜୀବିକା ମିଶନ କର୍ମୀ। ସମସ୍ତ ଆକ୍ରାନ୍ତ ୧୪ ତାରିଖ ଦିନ କଳାହାଣ୍ଡିକୁ ଫେରିଥିବା ନେଇ ଜିଲ୍ଳାପା ପରାଗ ହର୍ଷଦ ଗଭାଲି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୫୭୩୬ ଜଣ ପ୍ରବାସୀ ଫେରିଥିବା ବେଳେ ଆଗାମୀ ଦିନରେ ଆହୁରି ପ୍ରବାସୀ ଫେରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related posts