ଜୁନ୍‌ 1ରେ କେରଳ ଛୁଇଁବ ମୌସୁମୀ

Published: May 29, 2020, 2:05 pm IST

ନୂଆଦିଲ୍ଲୀ : ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେ’ ମାସ ସରୁ ସରୁ ମୌସୁମୀ ଆସିବା ନେଇ ସମ୍ଭାବନା ଦେଖାଦେଇଛି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଜୁନ୍‌ 25ରୁ 30 ଭିତରେ ମୌସୁମୀ ଆସିବ ବୋଲି କୁହାଯାଇଛି । ବାତ୍ୟା ଅମ୍ପାନ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପ ମହାଦେଶକୁ ଆସିବାକୁ ବାଧା ସୃଷ୍ଟି ହେଉଥିଲା। ହେଲେ ଏବେ ବାତ୍ୟା ଯିବା ପରେ ମୌସୁମୀ ବାୟୁ କେରଳ ମୁହାଁ ହୋଇଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

ସେହିପରି ମଧ୍ୟପ୍ରଦେଶର ଉତ୍ତର ଅଂଶ, ପୂର୍ବ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜୁନ୍‌ 20 ସୁଦ୍ଧା ମୌସୁମୀ ପହଞ୍ଚିବା ନେଇ ସୂଚନା ରହିଛି । ଜୁନ୍‌ 25 ଭିତରେ ପୂରା ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଜୁନ୍‌ 30 ସୁଦ୍ଧା ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ମୌସୁମୀ ପହଞ୍ଚିବାର ସୂଚନା ରହିଛି । (ଏଜେନ୍ସି)

Related posts