ସ୍ବାମୀଙ୍କୁ ମାଗିଲେ ଫୋନ୍‌, ନ ଦେବାରୁ ନିଆଁ ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ

Published: May 30, 2020, 11:30 am IST

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅଞ୍ଚଳଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ମୋବାଇଲ ଫୋନ୍‌ ପାଇଁ ଜଣେ ମହିଳା ଜୀବନ ଦେଇଛନ୍ତି । ନୂଆ ମୋବାଇଲ ଫୋନ୍‌ ପାଇଁ ସ୍ବାମୀଙ୍କୁ ବହୁ ବାର ଅନୁରୋଧ କରି ଆସୁଥିଲେ ମହିଳା ଜଣକ । ହେଲେ ସ୍ବାମୀ ମୋବାଇଲ୍‌ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ । କିନ୍ତୁ ଏହାକୁ ମହିଳା ଜଣକ ଠିକ୍‌ରେ ଗ୍ରହଣ ନ କରି ଆତ୍ମହତ୍ୟା ପରି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ପିଲାଙ୍କ ଅନ୍‌ ଲାଇନ୍‌ କ୍ଲାସ୍‌ ପାଇଁ ଏକ ନୂତନ ମୋବାଇଲ୍‌ ଫୋନ୍‌ ପାଇଁ ତାଙ୍କ ସ୍ବାମୀଙ୍କଠାରେ ଦାବି କରି ଆସୁଥିଲେ । ତାଙ୍କ ସ୍ବାମୀ ଯେତେବେଳେ ତାଙ୍କୁ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ, ସେତେବେଳେ ସେ ନିଜ ଉପରେ କିରୋସିନି ତେଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ମହିଳା ଜଣକ 90 ପ୍ରତିଶତ ପୋଡି ଯାଇଥିବାବେଳେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ । ପୋଲିସ୍‌ ଘଟଣାସ୍ଥଳରୁ ପ୍ଲାଷ୍ଟିକ୍‌ ବୋତଲ୍‌ ଓ ଦିଆସିଲି ମିଳିଛି । ସାତ ବର୍ଷ ପୂର୍ବରୁ ମହିଳା ଜଣକ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । (ଏଜେନ୍ସି)

Related posts