କରୋନା ଭାଇରସ୍‌ ମୁକାବିଲାରେ ବିଫଳ ବାହୁବଳୀ ପ୍ରଧାନମନ୍ତ୍ରୀ : କପିଲ୍‌ ଶିବଲ୍‌

Published: May 31, 2020, 6:08 pm IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ । ଭାରତର ବାହୁବଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ ମୁକାବିଲାରେ ବିଫଳ ହୋଇଛନ୍ତି । ମୋଦିଙ୍କ ଅଜ୍ଞତା କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ରସାତଳଗାମୀ ହୋଇଛି ଏବଂ ଏହି ପରସ୍ଥିତିରୁ ବାହାରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି ଶିବଲ୍‌ କହିଛନ୍ତି । ଏହା ସହିତ ଏହି ଭାଇରସ୍‌ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ଶିବଲ୍‌ ଦାବି କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିକୁ ମଧ୍ୟ ଶିବଲ୍‌ ସମାଲୋଚନା କରିଛନ୍ତି । ସର୍ବଦା ଭାରତର ବନ୍ଧୁରାଷ୍ଟ୍ର ରହିଥିବା ନେପାଳ ସହିତ ସୀମା ବିବାଦ ଆରମ୍ଭ ହୋଇଛି । ଚୀନ୍‌ ସହିତ ମଧ୍ୟ ବିବାଦ ପୂର୍ବବତ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଡୋଶୀ ନେତୃତ୍ବଙ୍କ ସହିତ ଆଖି ମିଶାଇ ଆଲୋଚନା କରିବାର ସତ୍‌ସାହସ ହରାଇ ସାରିଛନ୍ତି ବୋଲି ଶିବଲ୍‌ ଅଭିଯୋଗ କରିଛନ୍ତି । ଦେଶବାସୀଙ୍କୁ ଚୀନ୍‌ ସୀମା ବିବାଦ ସମ୍ପର୍କରେ ସବିଶେଷ ତଥ୍ୟ ଆବଶ୍ୟକ ବୋଲି ଶିବଲ୍‌ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍‌ ଗାନ୍ଧୀ ତିନି ଦିନ ତଳେ ସମାନ ଦାବି ଉପସ୍ଥାପନ କରିଥିଲେ । (ଏଜେନ୍ସି)

Related posts