କେରଳରେ ପହଞ୍ଚିଲା ମୌସୁମୀ

Published: Jun 1, 2020, 12:41 pm IST

ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍‌ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।  ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍‌ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍‌ରେ ପ୍ରବଳ ବର୍ଷା ହୋଇଛି । କେରଳର 9 ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିିଛି ଭାରତୀୟ ପାଣିପାଗ ବିଭାଗ ।

ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

ଏଥି ସହିତ କେରଳରେ ମୌସୁମୀ ପହଞ୍ଚିବା ପରେ ଲକ୍ଷ୍ମଦ୍ୱୀପ ଠାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଭାରତ, ପଶ୍ଚିମ ହିମାଳୟ ରାଜ୍ୟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

Related posts