ଏଲ୍‌ଏନ୍‌ଜିପି ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଲେ କରୋନା ଆକ୍ରାନ୍ତ

Published: Jun 4, 2020, 8:24 pm IST

ନୂଆଦିଲ୍ଲୀ : ଏଲ୍ଏନ୍‌ଜିପି ହସ୍ପିଟାଲ ସମ୍ମୁଖରେ ପ୍ରାଣ ହରାଇଛନ୍ତି ଜଣେ କରୋନା ଆକ୍ରାନ୍ତ । ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଟ୍ବିଟ୍ଟରରେ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରାଯାଇଛି । ଜୁନ୍‌ 2 ତାରିଖରେ ଅମନପ୍ରୀତ୍‌ ନାମକ ମହିଳା ଜଣକ ସକାଳ 8ଟାରେ ନିଜ ପିତାଙ୍କ ଅସୁସ୍ଥତାର ପୋଷ୍ଟ କରିଥିଲେ । ମୋ ପିତାଙ୍କୁ ଭୟଙ୍କର ଜ୍ବର ଏବଂ ଶ୍ବାସକ୍ରିୟାରେ ସମସ୍ୟା । ମାତ୍ର ଏଲ୍‌ଏନ୍‌ଜିପି ହସ୍ପିଟାଲକୁ ପ୍ରବେଶ କରି ହେଉନାହିଁ । ଏହାର ଏକ ଘଣ୍ଟା ପରେ 9.08 ମିନିଟରେ ସମାନ ଆକାଉଣ୍ଟରୁ ତାଙ୍କ ପିତାଙ୍କ ପରଲୋକ ହୋଇଥିବା ନେଇ ଟ୍ବିଟ୍‌ କରିଥିଲେ । ଦିଲ୍ଲୀ ସରକାର ତାଙ୍କ ପିତାଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଛନ୍ତି ବୋଲି ମହିଳା ଜଣକ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ ।

ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ବିଧାୟକ କପିଲ୍‌ ମିଶ୍ରା । ସରକାର ବିଜ୍ଞାପନରେ 3 ଦିନରେ 12 କୋଟି ଖର୍ଚ୍ଚ କରୁଥିବା ବେଳେ ନ୍ୟୁନତମ ସୁବିଧାରୁ ସାଧାରଣ ଜନତା ବଞ୍ଚିତ ହେଉଛନ୍ତି ବୋଲି କପିଲ ମିଶ୍ରା ଟ୍ବିଟ୍‌ କରିଛନ୍ତି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣକ ପ୍ରାଣ ହରାଇଥିଲେ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । (ଏଜେନ୍ସି)

Related posts