ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ଆତଙ୍କ: କ୍ୱାରେଣ୍ଟିନ୍‌ରେ ଗଲେ ଥାନା କର୍ମଚାରୀ

Published: Jun 6, 2020, 9:24 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରଗାରରେ କରୋନା ସଂକ୍ରମିତ ଦୁଇ କଏଦୀକୁ ନେଇ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରଗାର ସହ ଜରଡ଼ା ଥାନା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଘଟଣାରୁ ପ୍ରକାଶ ଜରଡ଼ା ଥାନା ପୋଲରାଜପୁର ଗ୍ରାମରେ ଏକ ହତ୍ୟା ମାମଲା ନେଇ ଗତ 3 ତାରିଖରେ ଅଭିଯୋଗ ହୋଇଥିଲା । ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରି ମେଡ଼ିକାଲ୍ ପରୀକ୍ଷଣ ପାଇଁ ପଠାଇଥିଲା । ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହଜାର କରାଯିବା ପରେ ଦୁହିଁଙ୍କୁ ମଣ୍ଡଳ କାରଗାରକୁ ବିଚାରଧୀନ ବନ୍ଦୀ ହିସାବରେ ପଠାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜେଲ୍ ପରିସରରେ ଏବଂ ଜରଡ଼ା ଥାନାରେ ଆତଙ୍କ ଖେଳିଯାଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବାରୁ ସଂକ୍ରମଣର କୌଣସି ଆଶଙ୍କା ନାହିଁ । ଏପଟେ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ପ୍ରତିଷେଧକ ବ୍ୟବସ୍ଥା ନେଇ ଜରଡ଼ା ଥାନା ଏବଂ ଖାରିଆଗୁଡ଼ା ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ୧୫ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି ।

Related posts